କରୋନାର ନୂଆ ରୂପ ଅଧିକ ମାରାତ୍ମକ : ପେଟ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ଠାବ ହେଉଛି ଡେଲଟା ଷ୍ଟ୍ରେନ୍

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୦୬: ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ଡେଲଟା ଷ୍ଟ୍ରେନ୍‌( ବି.୧.୬୧୭.୨)କୁ ନେଇ ଦିନକୁଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୂର୍ବରୁ ଜଣାପଡିଥିଲା କି ଏହି ଷ୍ଟ୍ରେନ୍‌ କରୋନାର ଅନ୍ୟ ଷ୍ଟ୍ରେନ୍‌ ଅପେକ୍ଷା ଅଧିକ ସଂକ୍ରାମକ ଅଟେ । ଦୁନିଆରେ ଚିନ୍ତାର କାରଣ ପାଲଟିଥିବା ଆଉ କିଛି ଷ୍ଟ୍ରେନ୍‌ ଠାରୁ ଏହା ୫୦-୬୦% ଅଧିକ ସଂକ୍ରାମକ ଅଟେ । ହେଲେ ଏବେ ଗବେଷକମାନେ ଦାବି କରିଛନ୍ତି ଯେ ଡେଲଟା ଷ୍ଟ୍ରେନ୍‌ ଖାଲି ଅଧିକ ସଂକ୍ରାମକ ନୁହେଁ, ଅଧିକ ମାରାତ୍ମକ ବି । ଏହାଯୋଗୁ କରୋନା ରୋଗୀଙ୍କ ଦେହରେ ଏଭଳି ସମସ୍ୟା ସବୁ ବାହାରୁଛି ଯାହା କରୋନାର ଅନ୍ୟ ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଉନାହିଁ ।

ଭାରତରେ ଚିକିତ୍ସକମାନେ କରୋନା ରୋଗୀଙ୍କ ଶ୍ରବଣ ଶକ୍ତି ହ୍ରାସ, ଦେହରେ ରକ୍ତ ଜମାଟ ବାନ୍ଧିବା ଏବଂ ଅନ୍ତଃନଳୀରେ ଟିସୁ ନଷ୍ଟ ହେବା ଭଳି ଅନେକ ସମସ୍ୟା ପାଇଁ ଏହି ଡେଲଟା ଷ୍ଟ୍ରେନକୁ ଦାୟୀ କରୁଛନ୍ତି । କିନ୍ତୁ ବିଶ୍ୱର ଅନ୍ୟ କୌଣସି ଭାଗରେ କରୋନା ରୋଗୀଙ୍କ ଠାରେ ଏଭଳି ଲକ୍ଷଣ ପ୍ରକାଶ ପାଉନାହିଁ । ବ୍ରିଟେନ ଓ ସ୍କଟଲ୍ୟାଣ୍ଡରେ ବି ଗବେଷକମାନେ ମତ ଦେଇଛନ୍ତି ଯେ ଡେଲଟା ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ବହୁତ ଅଧିକ ।

ଭାରତରେ ଅନେକ ରୋଗୀ ଏବେ ପେଟ ଯନ୍ତ୍ରଣା ସମସ୍ୟା ନେଇ ହସ୍ପିଟାଲ ଯାଉଛନ୍ତି । କିନ୍ତୁ ସେମାନଙ୍କର ପରୀକ୍ଷାନିରୀକ୍ଷା ପରେ ସେମାନେ କରୋନାର ଡେଲଟା ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡୁଛି । ଏହାଯୋଗୁ ଅନ୍ତଃନଳୀକୁ ରକ୍ତ ଯୋଗାଉଥିବା ବ୍ଲଡ୍‌ଭେସେଲ (ରକ୍ତବାହିକା)ରେ ରକ୍ତ ଜମାଟ ବାନ୍ଧିଯାଉଛି । ଫଳରେ ଅନ୍ତଃନଳୀରେ ଟିସୁ ନଷ୍ଟ ହୋଇଯାଉଛି ଏବଂ ରୋଗୀର ପେଟରେ ଅସହ୍ୟ ଯନ୍ତ୍ରଣା ହେଉଛି । ସେହିପରି ଆଉ କିଛି କରୋନା ରୋଗୀ ଶ୍ରବଣ ଶକ୍ତି ହ୍ରାସ ଏବଂ ଗଳା ଫୁଲିଯିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସବୁ ପାଇଁ ବି ଡେଲଟା ଷ୍ଟ୍ରେନ୍‌ ଦାୟୀ ବୋଲି ଗବେଷକମାନେ ମତ ଦେଉଛନ୍ତି ।

କିଛି ଚିକିତ୍ସକଙ୍କ ଅନୁସାରେ, ଗତ ବର୍ଷ କରୋନା ଯୋଗୁ ଗୋଟିଏ ପରିବାରରେ ଜଣେ କି ଦି ଜଣ ସଂକ୍ରମିତ ହେଉଥିଲେ । ଏବେ କିନ୍ତୁ ଅନେକ ପରିବାରରେ ସମସ୍ତ ସଦସ୍ୟ କରୋନା ଦ୍ୱାରା ସଂକ୍ରମିତ ହେଉଥିବାର ଦେଖାଯାଉଛି । ଡେଲଟା ଷ୍ଟ୍ରେନ୍‌ ଯୋଗୁ ହିଁ ଏପରି ଘଟୁଛି । ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଭାରତରେ ଦ୍ୱିତୀୟ ଲହର ସମୟରେ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏହା ଅଧିକ ମାରାତ୍ମକ ହୋଇଥିବାରୁ ଭାରତରେ ଏହାଯୋଗୁ ଅଧିକ ଲୋକ ପ୍ରାଣ ବି ହରାଇଛନ୍ତି । ତେବେ ଏହା ତୀବ୍ର ଗତିରେ ବ୍ୟାପୁଥିବାରୁ ଏବଂ ଅନେକ ସମୟରେ ଟିକାର ପ୍ରଭାବକୁ ବି ନଷ୍ଟ କରିଦେଉଥିବାରୁ ଏହି ଷ୍ଟ୍ରେନ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିହେଉନାହିଁ । ଏନେଇ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତରେ ସନ୍ଧାନ କରାଯାଇଥିବା ଡେଲଟା ଷ୍ଟ୍ରେନ୍‌ ଏବେ ୬୦ଟି ଦେଶରେ ବ୍ୟାପିସାରିଲାଣି । ଆମେରିକା, ବ୍ରିଟେନ ଓ ସିଙ୍ଗାପୁରରେ ବି ଏହା ତୀବ୍ର ଗତିରେ ବ୍ୟାପୁଛି । ଏହି ଷ୍ଟ୍ରେନକୁ ‘ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ (ଚିନ୍ତାଜନକ)’ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.