ନାଗାଲ୍ୟାଣ୍ଡରେ ଆଉ ବିକ୍ରି ହେବନି କଞ୍ଚା ଅଥବା ରନ୍ଧା କୁକୁର ମାଂସ, ଆମଦାନୀ ଉପରେ ଲାଗିଲା କଟକଣା
3/07/2020 at 5:01 PM

କୋହିମା ୩।୭: ନାଗାଲ୍ୟାଣ୍ଡରେ କୁକୁର ମାଂସ ବିକ୍ରି ନିଷିଦ୍ଧ ହୋଇଛି। କୁକରଙ୍କ କିଣାବିକା ଓ ଆମଦାନୀ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ତେମଜେନ୍ ତୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରାଜ୍ୟର ବାଜରରେ କୁକୁର ବିକ୍ରି ସାଙ୍ଗକୁ ମାଂସ ଦୋକାନ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇନତଃ କୁକୁରଙ୍କ ହତ୍ୟା ଓ ମାଂସ ଖାଇବା ଅବୈଧ। ତେବେ ସ୍ଥାନୀୟ ଖାଦ୍ୟ ପରମ୍ପରାରେ ଏହା ଏକ ଉଚ୍ଚ ପୋଷଣାହାର ଖାଦ୍ୟ ହୋଇଥିବାରୁ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି କଟକଣା ଲାଗୁ ନଥିଲା।

ତେବେ ଚୀନ୍ ଉହାନ ଆମିଷ ବଜାରରୁ କରୋନା ଭାଇରସ ମହାମାରୀ ସଂକ୍ରମଣ ପରେ ଏ ନେଇ ଲୋକେ ଭାବିବାକୁ ବାଧ୍ୟ ହୋଇଥିବା ବେଳେ ସରକାର ଏପରି ବଜାରକୁ ନିଷିଦ୍ଧ କରିଦେଇଛନ୍ତି। ଫଳରେ ରାଜ୍ୟର ହାଟ ବଜାରରେ ଆଉ କୁକୁର ମାଂସ ଦୋକାନକୁ ଅନୁମତି ଦିଆଯିବନି ବୋଲି ମନ୍ତ୍ରୀ ମଣ୍ଡଳ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଣୁ ହୋଟେଲ, ରଷ୍ଟୁରାଣ୍ଟମାନଙ୍କରେ ଏପର୍ଯ୍ୟନ୍ତ ବିକ୍ରି ହେଉଥିବା କୁକୁର ମାଂସ ପ୍ରସ୍ତୁତ ବ୍ୟଞ୍ଜନ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟରେ କଞ୍ଚା ଅଥବା ରନ୍ଧା କୁକୁର ମାଂସ ଉପରେ ସମ୍ପୂର୍ଣ୍ଣ କଟକଣା ଜାରିହୋଇଛି।