ବିବାହ-ଭୋଜିର ରୋଷେଇଆ କରୋନା ସଂକ୍ରମିତ : ୮୬ଜଣ କ୍ବାରେଣ୍ଟାଇନରେ
16/06/2020 at 3:05 PM

ଛତରପୁର ୧୬/୬: କରୋନାର ଆତଙ୍କ ଚାରିଆଡ଼େ ଜାରି ରହିଛି। ସମଗ୍ର ଦେଶରେ ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇ ଗଲାଣି। ଅନେକ ସହରରୁ ବିବାହ ଖବର ଆସୁଛି। ଏହି ସମୟରେ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ଏକ ବିବାହ ସମାରୋହରେ ରୋଷେଇଆ କରୋନା ସଂକ୍ରମିତ ଥିବା ଜଣା ପଡ଼ିଛି।

ଏହି ଘଟଣା ମଧ୍ୟପ୍ରଦେଶର ଛତରପୁରର। ବନ୍ଧା ଗ୍ରାମ ପଞ୍ଚାୟତର ଏକ ବିବାହ ସମାରୋହରେ ଯେଉଁ ବ୍ୟକ୍ତି ରୋଷେଇ କରିବାକୁ ଆସିଥିଲେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଏହାର ସୂଚନା କାହାକୁ ମଧ୍ୟ ନଥିଲା। ଏହାର ସୂଚନା ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରଶାସନ ଟିମକୁ ଦେଇଥିଲେ। ଏହାପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଥିଲା।

ଜିଲ୍ଲା ପଞ୍ଚାୟତ ସିଇଓଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରୋଷେଇ କରୁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବର-ବଧୂଙ୍କ ସମ୍ପର୍କୀୟ ସହ ୮୬ଜଣଙ୍କ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ କରିଛି।

ସ୍କ୍ରିନିଂ ପରେ ସମସ୍ତଙ୍କୁ ହୋମ୍ କ୍ବାରେଣ୍ଟାଇନ୍ କରିବା ସହ ନିକଟସ୍ଥ ଶାସକୀୟ ସ୍କୁଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହା ସହ ପ୍ରଶାସନର ପୂରା ଟିମ୍ ବ୍ୟବସ୍ଥାକୁ ଆଖି ଆଗରେ ରଖି ବିବାହ ସମ୍ପନ୍ନ କରାଇଥିଲେ।

ଏହା ସହିତ ପ୍ରଶାସନ ଦ୍ବାରା ବର-ବଧୂ ସହ ଅନ୍ୟ ୨ଜଣଙ୍କୁ ୧୪ଦିନ ଯାଏଁ ହୋମ୍ କ୍ବାରେଣ୍ଟାଇନ କରି ଦେଇଛି। ଏହା ବ୍ୟତୀତ ଯେଉଁ ଅଞ୍ଚଳରେ ବିବାହ ହୋଇଥିଲା ତାହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ କରି ଦିଆଯାଇଛି।