କୁଳାଧିପତିଙ୍କୁ ନଡାକି ଏସ୍‌ସିବି ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବ ଆୟୋଜନକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ

Published By : Prameya-News7 Bureau | September 26, 2018 IST

କଟକ ୨୬|୯: କଟକ ଏସ୍‌ସିବି ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ । କୁଳାଧିପତି ତଥା ରାଜ୍ୟପାଳଙ୍କ ବିନା କିଭଳି ସମାବର୍ତ୍ତନ ଉତ୍ସବ କରାଗଲା ତଥା ସାମ୍ବିଧାନିକ ପଦ ମର୍ଯ୍ୟାଦାକୁ ଏସ୍‌ସିବି କର୍ତ୍ତୃପକ୍ଷ କିଭଳି ଅବମାନନା କଲେ, ତାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ଏସ୍‌ସିବି ମେଡିକାଲ କଲେଜରେ ଆୟୋଜିତ ହେଲା ସମାବର୍ତ୍ତନ ଉତ୍ସବ । ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ବିଭିନ୍ନ ସମ୍ମାନ ପ୍ରଦାନ କରାଗଲା । ହେଲେ ସବୁ କିଛି ହେଲା କୁଳାଧିପତି ତଥା ରାଜ୍ୟପାଳଙ୍କ ବିନା ଉପସ୍ଥିତିରେ । ଏମିତିକି ସ୍ବାସ୍ଥ୍ୟମନ୍ତ୍ରୀ କିମ୍ବା ବିଭାଗର କୋଣସି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ବି ଡକା ଯାଇନଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ଅସନ୍ତୋଷର ସ୍ବର । ପରମ୍ପରା ଭଙ୍ଗ କରିବା ସହ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଏସସିବି କର୍ତ୍ତୃପକ୍ଷ ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । କେହି କେହି କହୁଛନ୍ତି ଏସ୍‌ସିବି ମେଡିକାଲରେ ଚାଲିଥିବା ବିଭିନ୍ନ ବେଆଇନ୍ କାର୍ଯ୍ୟ ଉପରେ ପରଦା ପକାଇବାକୁ ଏଭଳି ଉଦ୍ୟମ କରାଯାଇଛି । ଏହି ଘଟଣା ଉପରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ପରମ୍ପରା ବିହୀନ ତଥା କୁଳାଧିପତିଙ୍କ ମର୍ଯ୍ୟାଦା ହାନୀ ହେବା ଭଳି ପଦକ୍ଷେପକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଲା । ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ଏମିତିକି ସ୍ବାସ୍ଥ୍ୟ ବିଭାଗର ଅଗୋଚରରେ ଏଭଳି କନଭୋକେସନ କରାଯାଇଥିବା ମଧ୍ୟ ଆଲୋଚନା ହେଉଛି । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଏସସିବି ମେଡିକାଲର କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.