ଅଦାଲତରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା କ୍ଷେତ୍ରରେ ଓଡିଶା ପୋଲିସ ବହୁ ପଛରେ, ଶହେରେ ମାତ୍ର ୧୨ ଅପରାଧୀ ପାଉଛନ୍ତି ଦଣ୍ଡ, ତଦନ୍ତ ଠିକ୍ କରିବାକୁ ପୋଲିସ ଡିଜି ଦେଲେ ଆହ୍ବାନ

Published By : Prameya-News7 Bureau | January 11, 2019 IST

କଟକ ୧୧|୧: ଅଦାଲତି ମାମଲାରେ ରାଜ୍ୟ ପୁଲିସକୁ ସେଭଳି କିଛି ସଫଳତା ମିଳୁନି କହିଲେ ଚଳେ ।  ଶହେ ଅଭିଯୁକ୍ତଙ୍କ ଭିତରୁ ମାତ୍ର ୧୨ ଜଣ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ପାରୁଛନ୍ତି । ଯାହା ଜାତୀୟ ହାର ତୁଳନାରେ ଢେର କମ୍ । ତେଣୁ ଏ ଦିଗରେ ଏବେ ପୁଲିସକୁ ଅଧିକ ଯତ୍ନବାନ ହେବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହା ନିର୍ଦେଶକ । ଖାସ କରି ବର୍ଷ ୨୦୧୯ରେ ଏହି ହାର ୨୦ ପ୍ରତିଶତ ପର୍ଯ୍ୟନ୍ତ କେମିତି ବୃଦ୍ଧି ପାଇବ ସେନେଇ  ଅପିଲ କରିଛନ୍ତି ଡିଜିପି ।

{"id":72743}

ପୋଲିସ ବିଭାଗ ପାଖରେ ମାନବ ସମ୍ବଳର ଅଭାବ ରହିଛି ।  ଓ୍ବାର୍କଲୋଡ ବଢିବାରେ ଲାଗିଛି ।  ସେପଟେ ଅଦାଲତି ମାମଲାରେ ବାରମ୍ବାର ଝଟ୍‌କା ମଧ୍ୟ ଲାଗୁଛି । କାରଣ ଅଦାଲତରେ ରାଜ୍ୟ ପୋଲିସର ସଫଳତା ହାର ମାତ୍ର ୧୨ ପ୍ରତିଶତ । ତେଣୁ କେବଳ ତଦନ୍ତ କଲେ ହେବନାହିଁ ବରଂ ଦୋଷୀ ମାନଙ୍କୁ ଅଦାଲତରେ କିପରି ଦଣ୍ଡିତ କରାଯାଇ ପାରିବ ସେନେଇ ପୋଲିସ ବିଭାଗ  ଅଣ୍ଟାଭିଡିବା ଦରକାର । ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏମିତି ଅପିଲ କରିଛନ୍ତି ରାଜ୍ୟ ପୋଲିସ ମୁଖିଆ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ସେ କେବଳ ଅପିଲ କରିନାହାନ୍ତି ବରଂ ଯେଉଁ ତଦନ୍ତକାରି ଅଫିସର ଏବଂ ସରକାରୀ ଓକିଲ ମାନେ ଏ ଦିଗରେ ପାରଦର୍ଶିତା ଦେଖାଇଛନ୍ତି ସେମାନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ପୋଲିସ ଡିଜି ।

{"id":72744}

ବିଗତ ବର୍ଷମାନଙ୍କରେ ହତ୍ୟା, ଲୁଣ୍ଠନ, ଦାଦାଗିରି ଭଳି ଅପରାଧର ସଂଖ୍ୟା ଯେତିକି ବଢିଛି ସେହି ତୁଳନାରେ ସାଇବର କ୍ରାଇମ୍‌  ଏବଂ ଅର୍ଥନୈତିକ ଅପରାଧର ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।  ଯାହା ରାଜ୍ୟ ପୋଲିସର ଚିନ୍ତା ବଢାଇଛି । ତେବେ ଅର୍ଥନୈତିକ ଅପରାଧକୁ ନେଇ ଦାଏର ହେଉଥିବା ମାମଲା ଗୁଡିକରେ ସଫଳତାର ହାର ଖୁବ କମ୍ । ତେଣୁ ସେଭଳି ମାମଲା ଗୁଡିକରେ ତଦନ୍ତ ପ୍ରକ୍ରିୟା ଶତ ପ୍ରତିଶତ ଠିକ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି ସରକାରୀ ଓକିଲମାନେ । କେବଳ ସେତିକି ନୁହେଁ, ସଠିକ ସମୟରେ ଚାର୍ଜସିଟ୍ ଦାଖଲ ହେବା, ସାକ୍ଷୀମାନଙ୍କୁ ପ୍ରସ୍ତୁତ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ଭଳି ଦିଗ ପ୍ରତି ପୋଲିସ ବିଭାଗ ଯତ୍ନବାନ ହେଲେ ସଫଳତାର ହାର ନିଶ୍ଚିତ ବଢ଼ିବ ।

ନିକଟରେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜ୍ୟ ପୋଲିସକୁ ଅଦାଲତି ଝଟ୍‌କା ଲାଗିଛି । ଯାହା ପୋଲିସ ଅପରିଣାମ ଦର୍ଶିତାକୁ ପଦାରେ ପକାଇଛି ବୋଲି କୁହାଯାଇପାରେ । ତେଣୁ ଆଗକୁ ରାଜ୍ୟ ପୁଲିସ ଅଧିକ ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.