ଧନୁଯାତ୍ରାରେ କଂସ ଚୟନକୁ ନେଇ ବିବାଦ : ଚୟନକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ କଳାକାର ସଂଘ
11/11/2019 at 10:06 AM

ବରଗଡ ୧୧।୧୧ : ବରଗଡ ଧନୁଯାତ୍ରାରେ ମୁଖ୍ୟ ଚରିତ୍ର କଂସ ଚୟନକୁ ନେଇ ବିବାଦ ଦେଖାଦେଇଛି । ଚୟନ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ କଳାକାର ସଂଘ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଜାନୁଆରି ୧୦ ପର୍ଯ୍ୟନ୍ତ ମୁକ୍ତାକାଶ ରଂଗମଂଚର ମହୋତ୍ସବ ଚାଲିବ । କିନ୍ତୁ ଯେଉଁ ଭଳି ଭାବେ ପ୍ରସ୍ତୁତି ଆରମ୍ଭ ହେବା କଥା, ସେଭଳି ହୋଇନାହିଁ। କାରଣ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ଚୟନକୁ ନେଇ ବିବାଦ ଉପୁଜିଛି। ଗୋଟିଏ ପଟେ କଳାକାର ସମନ୍ବୟ ସମିତି କଂସ ଚୟନ ପାଇଁ ଘୋଷଣା କରି ସାରିଛି। ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ୨୦ ତାରିଖ ଭିତରେ କଂସ ଚୟନ ସାରିବାକୁ ଯୋଜନା ରହିଛି। ଏପେଟ କିନ୍ତୁ ବିଭିନ୍ନ କଳାକାର ସଂଘ ଓ ସଂଗଠନ ଗୁଡ଼ିକ କଂସ ଚୟନକୁ ଖୋଲାଖୋଲି ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ନିୟମ ଅନୁସାରେ, ଜଣେ କଳାକାର ଚୟନ ହେଲା ପରେ ସେ କ୍ରମାଗତ ତିନି ବର୍ଷ କଂସ ଅଭିନୟ କରିଥାନ୍ତି । ଭୁବନେଶ୍ବର ପ୍ରଧାନ ଲଗାତାର ଦୁଇ ବର୍ଷ ଅଭିନୟ କରିଥିବାବେଳେ ଏଥର ବି ତାଙ୍କୁ ସୁଯୋଗ ଦେବାକୁ ଗୋଟିଏ ଗୋଷ୍ଠୀ ଦୃଢ଼ ଯୁକ୍ତି କରିଛନ୍ତି । କିନ୍ତୁ ଏଭଳି କିଛି ଲିଖିତ ତିନି ବର୍ଷିଆ ନିୟମ ନଥିବାରୁ ମାମଲା ଗୋଳମାଳିଆ ହୋଇଛି। ଚୟନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାକୁ ରଦ୍ଧ କରି ଭୁବନେଶ୍ବରଙ୍କୁ ସୁଯୋଗ ଦେବାକୁ ଅନେକ ଦାବିପତ୍ର ଜିଲ୍ଲାପାଳଙ୍କ ପାଖରେ ପହଂଚିଛି। ଏହା ଉପରେ କିଭଳି ନିଷ୍ପତ୍ତି ହେଉଛି, ତାହା ୧୬ ତାରିଖ ଭିତରେ ହିଁ ସ୍ପଷ୍ଟ ହୋଇଯିବ ।