ବାରବାଟୀ ଷ୍ଟାଡିୟମର ଭିତ୍ତିଭୂମି ବିକାଶ ଚିନ୍ତା କରିଛନ୍ତି ସରକାର: ସମୀର ଦେ କଲେ ପ୍ରଶ୍ନ – ହକି ବିଶ୍ବକପ ବେଳେ ବାରବାଟୀକୁ କାହିଁକି ଭୁଲିଗଲେ
18/12/2018 at 6:59 PM

କଟକ୧୮|୧୨:ହକି ବିଶ୍ବକପ୍ର ସଫଳ ଆୟୋଜନ ପରେ , କଟକ ବାରବାଟୀ ଷ୍ଟାଡିୟମର ଭିତ୍ତିଭୁମି ବିକାଶ କଥାଚିନ୍ତା କରିଛନ୍ତି ରାଜ୍ୟ ସରକାର । ଯେହେତୁ ବାରବାଟୀ ହେଉଛି ଦେଶର ଏକମାତ୍ର ଷ୍ଟାଡିୟମ, ଯାହା ଅଲିମ୍ପିକ ଆସୋସିଏସନର ନିଜସ୍ବ ସମ୍ପତ୍ତି, ତେଣୁ ଏହାର ବିକାଶ ପାଇଁ ଆସୋସିଏସନ ପାଣ୍ଠି ଯୋଗାଡ କରୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି । ଯାହାକୁ ମାନିବାକୁ ନାରାଜ ଡିଶା ଅଲିମ୍ପିକ ଆସୋସିଏସନ । ଅଲିମ୍ପିକ ଆସୋସିଏସନ ସଭାପତି ସମିର ଦେ, ସରକାରଙ୍କୁ ତୀର୍ଯ୍ୟକ ବାଣ ମାରିବା ସହ ଏ ପ୍ରଶ୍ନ ମଧ୍ୟ କରିଛନ୍ତି, ହକି ବିଶ୍ବକପ୍ ଆୟୋଜନ ବେଳେ କାହିଁକି ବାରବାଟି କଥା ଚିନ୍ତା କରାଗଲା ନାହିଁ । …
କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ହେଉଛି ଦେଶର ଏକମାତ୍ର ଖେଳ ପଡିଆ, ଯାହା ଅଲିମ୍ପିକ ଆସୋସିଏସନର ନିଜସ୍ବ ସମ୍ପତ୍ତି । ଖେଳକୁଦ ଲାଗି ଉଦ୍ଧିଷ୍ଟ ବାରବାଟୀ ଷ୍ଟାଡିୟମ, ସମୟ କ୍ରମେ ଏକ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡ ପାଲଟିଯାଇଛି । ପରୋକ୍ଷରେ କହିବାକୁ ଗଲେ ଷ୍ଟାଡିୟମର ପ୍ରକୃତ ମାଲିକ ସାଜିଛି ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ । ତେବେ ଓଡିଶା କ୍ରିକେଟ ଆସୋସିଏସନ ବିବାଦ ଭିତରକୁ ଆସିବା ପରେ ,ବାରବାଟୀର ଭାଗ୍ୟ ଯେମିତି ପଥର ତଳେ ଚାପି ହୋଇରହିଛି । ସେପଟେ ହକି ବିଶ୍ବକପର ସଫଳ ଆୟୋଜନ ପରେ, ବାରବାଟୀ ବାବଦରେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏହା ଅଲିମ୍ପିକ ଆସୋସିଏସନ ସମ୍ପତ୍ତି ହୋଇଥିବାରୁ, ଭିତ୍ତିଭୂମି ବିକାଶ ପାଇଁ ଆସୋସିଏସନ ପାଣ୍ଠି ଯୋଗାଡ କରୁ । ଏନେଇ ବିଦ୍ଧିବଦ୍ଧ ଭାବେ ଅଲିମ୍ପିକ ଆସୋସିଏସନକୁ ଚିଠି ଲେଖାଯିବ ବୋଲି କହିଛନ୍ତି ସରକାରୀ ଦଳର ମୁଖପାତ୍ର ଦେବାଶିଷ ସାମନ୍ତରାୟ ।
ସେପଟେ କିନ୍ତୁ ଏହାକୁ ମାନିବାକୁ ନାରାଜ୍ ରାଜ୍ୟ ଅଲିମ୍ପିକ୍ ଆସୋସିଏସନ । ଆସୋସିଏସନର ମଙ୍ଗ ଧରିଥିବା ବରିଷ୍ଠ ବିଜେପି ନେତା ସମିର ଦେ ବାରବାଟୀକୁ କାହା ସହିତ ସେୟାର କରିବା ସପକ୍ଷରେ ନାହାଁନ୍ତି । ବରଂ କଥା ପ୍ରସଙ୍ଗରେ ସେ କହିଛନ୍ତି ଯେ, ହକି ବିଶ୍ବକପ୍ ଆୟୋଜନ ବେଳେ ବାରବାଟୀକୁ ସମ୍ପୁର୍ଣ୍ଣ ଅଣଦେଖା କରାଗଲା । କାହିଁକି ଭୁବନେଶ୍ବରରେ ହିଁ ସମସ୍ତ ମ୍ୟାଚ ଖେଳାଗଲା, ଏବଂ ଓଡିଶା ଅଲିମ୍ପିକ ଆସୋସିଏସନ ଓ ହକି ଓଡିଶା ଭଳି କ୍ରୀଡା ସଂଗଠନକୁ କାହିଁକି ଅଣଦେଖା କରାଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ଅବଶ୍ୟ ଓଡିଶା କ୍ରିକେଟ ଆସୋସିଏସନ ଏବେ ଅଚଳ ପ୍ରାୟ, ସେଥିଲାଗି ତ ଚଳିତ ରଣଜୀ ସିଜିନ୍ର ଗୋଟିଏ ବି ମ୍ୟାଚ ବାରବାଟୀରେ ହୋଇପାରିଲାନି । ଆଉ ଏତିକି ବେଳେ ବାରବାଟୀକୁ ନେଇ ଅଲିମ୍ପିକ ଆସୋସିଏନ ଏବଂ ରାଜ୍ୟ ସରକାର ଏକ ପ୍ରକାର ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ।