ଅକ୍ସିଜେନ ରିପୋର୍ଟକୁ ନେଇ ବିଜେପି-ଆପ ମୁହାଁମୁହିଁ: ପରସ୍ପର ଉପରେ ଆଣିଲେ ମିଥ୍ୟା ଅଭିଯୋଗ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୦୬ : ଦିଲ୍ଲୀର କେଜ୍ରିୱାଲ ସରକାର ଏବଂ ବିଜେପି ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଏକ ଅକ୍ସିଜେନ ରିପୋର୍ଟକୁ ନେଇ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ସମ୍ନାସାମ୍ନି ହୋଇଛନ୍ତି। ଉଭୟ ଦଳ ପରସ୍ପର ଉପରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ବିଜେପି ଏକ ରିପୋର୍ଟ ଉଦ୍ଦେଶ୍ୟରେ କରିଛି ଯେ ଯେତେବେଳେ କରୋନା ମହାମାରୀ ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ କେଜ୍ରିୱାଲ ସରକାର ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲେ। କେଜ୍ରିୱାଲ ସରକାର କହିଛନ୍ତି ଯେ ଏଭଳି ରିପୋର୍ଟ ନାହିଁ।

ବିଜେପି ନେତା ଦାବି କରିଛନ୍ତି ଯେ ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏହି ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ କରୋନା ସଙ୍କଟ ସମୟରେ ଦିଲ୍ଲୀକୁ ମାତ୍ର ୨୮୯ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକତା ଥିଲା। କିନ୍ତୁ କେଜ୍ରିୱାଲ୍ ସରକାର ଚାରି ଗୁଣ ଅଧିକ ଅର୍ଥାତ ୧୧୪୦ ମେଟ୍ରିକ୍ ଟନ୍ ଅକ୍ସିଜେନ ମାଗିଥିଲେ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମିଥ୍ୟା ଯୋଗୁଁ ୧୨ ଟି ରାଜ୍ୟରେ ଅକ୍ସିଜେନ ଯୋଗାଣ ବ୍ୟାହତ ହୋଇଥିଲା। କାରଣ ସବୁ ସ୍ଥାନରୁ ଅକ୍ସିଜେନ କ୍ୟାନସେଲ କରାଯାଇ ଦିଲ୍ଲୀ ପଠାଇବାକୁ ପଡିଥିଲା। କେଜ୍ରିୱାଲ ଏହି ଭଳି ଜଘନ୍ୟ ଅପରାଧ କରିଛନ୍ତି। ଏଥିପାଇଁ ତାଙ୍କୁ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉଚିତ।

ସମ୍ବିତ ପାତ୍ର ଏହା ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ସେମାନେ ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଅକ୍ସିଜେନ ଗଣନା କରିଛନ୍ତି। କିନ୍ତୁ ଯେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି କେଜ୍ରିୱାଲଙ୍କୁ ଆଇସିଏମଆର ଗାଇଡଲାଇନର କପି ମାଗିଥିଲେ ସେତେବେଳେ ସେ ଦେଇନଥିଲେ। ଏହାର ଅର୍ଥ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ମିଥ୍ୟା କହିଛନ୍ତି।

ସମ୍ବିତ ପାତ୍ରଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମିଛ କହୁଥିବା ଅଭିଯୋଗ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏମିତି କୌଣସି ରିପୋର୍ଟ ନାହିଁ। ବିଜେପି ମିଛ କହୁଛି। ଅକ୍ସିଜେନ ଅଡିଟ୍ କମିଟିର ସଦସ୍ୟମାନେ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଅନୁମୋଦନ କରିନାହାଁନ୍ତି। ତେବେ ଏହି ରିପୋର୍ଟ କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ମନୀଷ ସିସୋଡିଆ ବିଜେପିକୁ ଚେତାବନୀ ଦେଇଛନ୍ତି। ସିସୋଡିଆ କହିଛନ୍ତି, "ବିଜେପି ନେତା ଯେଉଁ ରିପୋର୍ଟ ଆଧାରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଏମିତି କୌଣସି ରିପୋର୍ଟ ହିଁ ନାହିଁ। ଏହି ରିପୋର୍ଟ ବିଜେପି କାର୍ଯ୍ୟାଳୟରେ ବସି ପ୍ରସ୍ତୁତ କରାଯାଇଛି। ଆମେ ଅଡିଟ୍ କମିଟିର ଅନେକ ସଦସ୍ୟଙ୍କ ସହ କଥା ହୋଇଛୁ। ସେମାନେ କହିଛନ୍ତି ଯେ ସେମାନେ କୌଣସି ରିପୋର୍ଟରେ ଦସ୍ତଖତ କରିନାହାନ୍ତି। ଅଡିଟ୍ କମିଟିର ସଦସ୍ୟ ମଞ୍ଜୁରୀ ଦେଇଥିବା ରିପୋର୍ଟ ନେଇକି ଆସିବା ପାଇଁ ସେ ବିଜେପିକୁ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.