ଚାର୍ଟର ଫ୍ଲାଇଟରେ ପ୍ରଦୀପଙ୍କ ସହ ଉଡିବା ପ୍ରସଙ୍ଗ : ଅରୂପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୁର ରାଉତରାୟ, ଅରୂପ କହିଲେ ଯାହା କହିବି ଭିଜିଲାନ୍ସ ଆଗରେ

Published By : Prameya-News7 Bureau | December 03, 2020 IST

ଭୁବନେଶ୍ବର ୩।୧୨: ଆଇଏଫଏସ ଅଭୟକାନ୍ତ ପାଠକଙ୍କ କାରବାର ସହିତ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ସଂପର୍କ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିପାଇଁ ଅରୂପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଦୁର୍ନୀତିରେ ସମ୍ପୃକ୍ତ ଥିବା ଯେ କେହିବି ହୁଅନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ସୁର ଦାବି କରିଛନ୍ତି ।

ସେପଟେ ଏନେଇ ଅରୂପ ଫୋନ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ନିଜ ତଥ୍ୟ ଭିଜିଲାନ୍ସ ନିକଟରେ ରଖିବେ । ଅପରପକ୍ଷରେ ବିଜେଡି ଅଭୟ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ ବାବଦରେ ପ୍ରତିକ୍ରିୟା ରଖିଛି । ଦୁର୍ନୀତିଗ୍ରସ୍ତଙ୍କୁ ଘୋଡେଇବା କ’ଣ ଜନ ବିରୋଧୀ ନୁହେଁ ? ଠକାମୀକୁ କ୍ଲିନ୍ ଚିଟ୍ ଦେବା କ’ଣ ଜନ ବିରୋଧୀ ନୁହେଁ ? ଏମିତି କିଛି ପ୍ରଶ୍ନ କରିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ପାଠକ ବାପା ପୁଅଙ୍କ କଳା କାରନାମା ବାହାରକୁ ଆସିବା ପରେ ସବୁ କଥା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଏହାପରେ ପ୍ରଦୀପ ବାବୁ ସେମାନଙ୍କୁ କ୍ଲିନ୍ ଚିଟ୍ ଦେଇ ନିଜ କୁର୍ତ୍ତାକୁ ସେ ଅଧିକ ମଇଳା କରିବା ଉଚିତ୍ ନୁହେଁ ବୋଲି ଅତନୁ କହିଛନ୍ତି । ଯେତେବେଳେ ଓଡ଼ିଶାବାସୀ କୋଭିଡ୍ ସମୟରେ ଡହଳବିକଳ ହେଉଥିଲେ, ସେତେବେଳେ ସେ ବିଳାସପୂର୍ଣ୍ଣ ଟ୍ରିପ୍ ରେ ବୁଲୁଥିଲେ, ଏ କଥା ବଜାରରେ ବୁଲୁଛି । ଏ କ’ଣ ଜନ ବିରୋଧୀ ନୁହେଁ ବୋଲି ଅତନୁ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି ଏହି ପ୍ରସଙ୍ଗରେ କହିଛି ଯିଏ ଭ୍ରଷ୍ଟାଚାର କରିଛି ସାଧାରଣ ଲୋକଙ୍କ ଅର୍ଥ ତୋଷାରପାତ କରିଛି ସେ ଦଣ୍ଡିତ ହେବା ଦରକାର । ଯେହେତୁ ପାଠକ ଜଣେ ସର୍ବଭାରତୀୟ ସେବା ଅଧିକାରୀ ତେଣୁ ତାଙ୍କ କେସ୍ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.