ପଦାରେ ପଡିଲା ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅପରାଗତା, ପୁଣି ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | July 24, 2021 IST

ନୀଳଗିରି,୨୪/୭: ବିଦ୍ୟୁତ ବିଭାଗର ଅପାରଗ ଅଧିକାରୀଙ୍କ ପାଇଁ ପୁଣି ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ଜାମୁଡିହା ପଂଚାୟତ ବଡ଼ବିଲ ଗ୍ରାମରେ ଏକ ଫାର୍ମ ହାଉସକୁ ସଜାଡ଼ିବାକୁ ଅସ୍ଥାୟୀ କର୍ମଚାରୀ ଭାଗିରଥି ମାଝୀ ନାମକ ବ୍ୟକ୍ତି ଲାଇନମ୍ୟାନ ଶଙ୍କର ମଲ୍ଲିକଙ୍କ ସହ ଯାଇଥିଲେ। ବିଦ୍ୟୁତ କାଟ ପରେ କାମ କରି ସଜାଡୁଥିଲେ । ହେଲେ ଭାଗିରଥୀ ସେହିଠାରେ ବିଦ୍ୟୁତ ସଂସ୍ପର୍ଶରେ ଲାଗି ଟଳିପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନଆଣି ୧୦୮ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ।

ନୀଳଗିରି ହସ୍ପିଟାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ପୁର୍ବତନ ବିଦ୍ୟୁତ କର୍ମଚାରୀ କାଲୁ ମାଝୀଙ୍କ ପୁଅ । ତାଙ୍କର ଘର ରେମୁଣା ଥାନା ଅଧିନ ଅଯୋଧ୍ୟା ନଗରପାଟଣା । ସେ ସଜନାଗଡ଼ ବିଦ୍ୟୁତ ଷ୍ଟ୍ରକଚରରେ ଅସ୍ଥାୟୀ କର୍ମଚାରୀ  ଭାବେ କାର୍ଯ୍ୟ କରନ୍ତି। ପ୍ରଶ୍ନ ଉଠୁଛି ଲାଇନମ୍ୟାନ ଜଣକ ନିଜେ କାମ ନକରି ତାଙ୍କୁ କାର୍ଯ୍ୟରେ କଣ ପାଇଁ କାମରେ ଲଗାଇଥିଲେ । ଆଜି ତାଙ୍କର ଜୀବନ ଗଲାପରେ ସରକାରୀ କ୍ଷତିପୂରଣ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହେବ ।

କିଛି ମାସ ପୂର୍ବରୁ ସଜନାଗଡ଼ ଷ୍ଟ୍ରକଚର ଅଧୀନ ନରଣପୁର ଅଞ୍ଚଳର ଜଣେ ଅସ୍ଥାୟୀ କର୍ମଚାରୀଙ୍କର ମୃତ୍ୟୁ ପରେ ବହୁ ତୁମ୍ବିତୋଫାନ ଉଠିଥିଲା । କ୍ଷତିପୂରଣ ବାବଦରେ କାର୍ଯ୍ୟରତ ଲାଇନମ୍ୟାନ କିଛି ଟଙ୍କା ଦେଇ ଖସିଯାଇ ନିଜର ଚାକିରୀ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଥିଲେ । ଏପରିକି ବିଭାଗୀୟ ଏସଡିଓ ଏବଂ ଜେଇଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ବହୁ କଷ୍ଟରେ ମଧ୍ୟ ସେମାନେ ଘଟଣାଙ୍କୁ ସମାଧାନ କରି ଖସି ଯାଇଥିଲେ । ଆଜି ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ପୁଣି ଅଧିକାରୀଙ୍କ ଅପାରଗତା ପଦାରେ ପଡିଛି। ତେବେ ଏଭଳି ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.