ଉଠିଲା ଆମେରିକା ସେୟାର ବଜାର, ତଳମୁହାଁ ଏସିଆ ମାର୍କେଟ,NIFTYରେ ଅଭିବୃଦ୍ଧି ଜାରି
18/12/2020 at 4:23 PM

ନୂଆଦିଲ୍ଲୀ ୧୮।୧୨: ଆମେରିକା ସେୟାର ବଜାରରେ ଅଭିବୃଦ୍ଧି ଏସିୟା ବଜାରକୁ ନିରାଶ କରିଛି। ତେବେ
ବିଦେଶୀ ନିବେଶ ପ୍ରବାହ ଯୋଗୁ ଭାରତୀୟ ସେୟାର ବଜାରରେ ଉତ୍ସାହ ଲଗାତାର ଷଷ୍ଠ ସପ୍ତାହରେ ବି ଜାରି ରହିଛି। ସପ୍ତାହର ଶେଷଦିନରେ ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଛି। ତେବେ ଲାଭ ଅସୁଲି ଯୋଗୁ ବଜାର ଏବେବି ତଳଉପର ହେଉଛି।
ଆମେରିକା ୱାଲଷ୍ଟ୍ରିଟ୍ ନୂଆ ସ୍ତରକୁ ପହଞ୍ଚିଛି। ଫଳରେ ଏହାର ପ୍ରଭାବ ସିଧା ଏସିଆ ବଜାର ଉପରେ ପଡିଛି। ଆମେରିକୀୟ ସେୟାର ନୂଆ ଉଚ୍ଚତା କାୟମ କରିବା ଯୋଗୁ ଏସୀୟ ବଜାର ହ୍ରାସକୁ ମୁହାଁଇଛି। ଆମେରିକାରେ ଯଦିଓ ବେକାରୀ ନୂଆ ସମସ୍ୟା ଭାବେ ଉଭା ହୋଇଛି ହେଲେ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ନୂଆ ଆଶା ସଞ୍ଚାର କରିଛି। ଏଥିରେ ସରକାରୀ ସ୍ତରରେ କୋଭିଡ ଟିକାକରଣ ଲାଗି ପଦକ୍ଷେପ ପରେ ବଜାରରେ ପୁଣି ଉତ୍ସାହ ଫେରିଛି।
ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୦.୧୫ ପ୍ରତିଶତ ଅଭିବୃଦ୍ଧି ସହ ୭୦.୩୫ ପଏଣ୍ଟ ଉପରେ ସୂଚକାଙ୍କ ୪୬୯୬୦.୬୯ରେ ବନ୍ଦ ହୋଇଛି। ସେପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୦.୧୪ ପ୍ରତିଶତ ସହ ୧୯.୮୫ ପଏଣ୍ଟ ଉପରେ କାରବାର କରି ୧୩୭୬୦.୫୫ରେ ବନ୍ଦ ହୋଇଥିବା ଜଣାପଡିଛି। ସୂଚକାଙ୍କ ସ୍ଥିତିରୁ ୨୦୨୦ ବର୍ଷରେ ହୋଇଥିବା ମୋଟ କ୍ଷତି ଭରଣା ହୋଇପାରିଥିବାର ସୂଚନା ମିଳୁଛି। ନିଫ୍ଟ ୧ ଜାନୁୟାରୀ ୨୦୨୦ରେ ୪୧୩୦୬.୦୨ ସ୍ତରରେ ବନ୍ଦ ହୋଇଥିଲା। ବଜାର ଆଗକୁ ମଧ୍ୟ ତଳ ଉପର ହେବ। ଏଣୁ ନିବେଶ କାଳରେ ନିବେଶକଙ୍କୁ ସତର୍କତାର ସହ ନିବେଶ ପାଇଁ ବଜାର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।