ଆଉ କନ୍ଦେଇବନି ପିଆଜ, ଦର ନିୟନ୍ତ୍ରଣ ପ୍ରସ୍ତୁତିରେ ସରକାର

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮।୧୨:  ପରିବା ବଜାରରେ ନିଆଁ ଲଗାଇଥିବା ପିଆଜ ଦର ଏବେ ପ୍ରଶମିତ ହେବ। ପରିସ୍ଥିତିର ମୁକାବିଲା ଲାଗି ସରକାର ବିଦେଶରୁ ମଗାଇଥିବା ପିଆଜ ଏବେ ମୁମ୍ବାଇ ବନ୍ଦରରେ ପହଞ୍ଚିଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୧ହଜାର ଟନ ପିଆଜକୁ ଆଗାମୀ ସପ୍ତାହ ସୁଦ୍ଧା ଦେଶର ସମସ୍ତ ବଜାରକୁ ପହଞ୍ଚାଇ ଦିଆଯିବ। ସେପଟେ ଦେଶରେ ଖରିଫ ଅମଳ ବି ଆରମ୍ଭ ହୋଇଗଲାଣି। ଏଣୁ ପରିବା ବଜାରରେ ଥିବା ପିଆଜ ଦର ଏବେ ସ୍ୱଭାବିକ୍ ହେବାକୁ ଯାଉଥିବା ବେଳେ ଆଗକୁ ଯେପରି ଏପରି ପରିସ୍ଥିତି ନ ଉପୁଜେ ସେଥିଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

{"id":199431,"width":579,"height":392,"sizeSlug":"large"}

ସରକାର ପୁଣି କରିବେ ବଫର ଷ୍ଟକ୍
ପିଆଜ ଆବଶ୍ୟକତା ପୁରଣ ଲାଗି ସରକାର ବିଦେଶରୁ ୩୦ ହଜାର ଟନ ପିଆଜ ମଗାଇଛନ୍ତି। ଏହାର ପ୍ରଥମ କନସାଇନମେଣ୍ଟ ଏବେ ମୁମ୍ବାଇ ବନ୍ଦରରେ ପହଞ୍ଚି ସାରିଥିବା ବେଳେ ବାକି କନସାଇନମେଣ୍ଟ ବି ପଛକୁ ପଛ ଆସି ପହଞ୍ଚିବାରେ ଲାଗିବ। ତେବେ ଦେଶରେ ଖରିଫ ଅମଳ ସହ ପିଆଜ ଦର ସ୍ୱଭାବିକ ହେବାକୁ ଯାଉଥିବା ବେଳେ ରବି ଅମଳ ପରେ ପରେ ନାଫେଡ ପୁଣି ବଫର ଷ୍ଟକ୍ କରିବାକୁ ଯୋଜନା କରିଛି। ଆସନ୍ତା ମାର୍ଚ୍ଚ ମାସରୁ ଏହି ଷ୍ଟକ ପ୍ରକ୍ରିୟା ଆରମ୍ଭ ହେବ।

{"id":199432,"sizeSlug":"large"}

ଚାଷୀଙ୍କ ଠୁ କିଣା ଯିବ ୨୦ ହଜାର ଟନ୍ ପିଆଜ
ନାଫେଡ ପ୍ରସ୍ତାବିତ ବଫର ଷ୍ଟକ୍ ଲାଗି ଦେଶର ବିଭିନ୍ନ ପ୍ରଦେଶର ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଟନ୍ ପିଆଜ କ୍ରୟ କରିବେ। ଫଳରେ ଅମଳ ଋତୁରେ ଚାଷୀଙ୍କୁ ଆଉ ଅଭାବି ବିକ୍ରିର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଆଗକୁ ପିଆଜ ଦର ଯେପରି ଆକାଶ ନ ଛୁଏଁ ସେଥିଲାଗି ସରକାରୀ ସ୍ତରରେ ପୁରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

{"id":199434,"sizeSlug":"large"}

ଦେଶରେ ଏବେବି ପ୍ରତି କେଜି ୧୫୦ଟଙ୍କାରେ ବିକ୍ରି ହେଉଛି ପିଆଜ
ଏବେବି  ଅନେକ ବଜାରରେ ପିଆଜର ଆକାଶ ଛୁଆଁ ଦର ରହିଛି। ଦିଲ୍ଲୀ ସମେତ ଏନସିଆରରେ ଏବେବି ପ୍ରତି କେଜି ପିଆଜ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଉତ୍ତର ଭାରତରେ କୋହଲା ପାଗ ସାଙ୍ଗକୁ ବର୍ଷା ଏଭଳି ଦରବୃଦ୍ଧିର କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି। ବର୍ଷାରେ ମାଟି ଓଦା ହେବା ଯୋଗୁ ଚାଷୀ ପିଆଜ ଖୋଳିବାକୁ  ଶାହସ କରୁନଥିବାରୁ ଦର ଉଚ୍ଚା ରହିଛି। ତେବେ ସରକାର ବିଦେଶରୁ ଆମଦାନୀ କରିଥିବା ପିଆଜ ଏବେ ପହଞ୍ଚି ସାରିଥିବାରୁ ଚାଷୀଙ୍କ ପିଆଜ ସହ ମିସି ବିକ୍ରି ହେବ। ଏଣୁ ପିଆଜ ସ୍ୱଭାବିକ ଦରକୁ ଚାଲିଆସିବ ବୋଲି ବ୍ୟବସାୟୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.