ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦଳିଲେ ୩୫ବର୍ଷ ପୁରୁଣା ଆଇନ୍ : ଜୁଲାଇ ୨୦ରୁ ମିଳିବ ଏହି ଅଧିକାର
18/07/2020 at 11:17 AM

ନୂଆଦିଲ୍ଲୀ ୧୮/୭: ଜୁଲାଇ ୨୦ତାରିଖରେ କେନ୍ଦ୍ର ସରକାର ନୂଆ ଆାଇନ୍ ଲାଗୁ କରିବାକୁ ଯାଉଛି। ଏହି ନୂଆ ଆଇନ ଲାଗୁ ହେବାର ସବୁଠୁ ବଡ଼ ଫାଇଦା ଗ୍ରାହକଙ୍କୁ ହେବ। ଯଦି ସରକାରଙ୍କ ଦାବିକୁ ମାନିବା ତେବେ ଆଗାମୀ ୫୦ବର୍ଷ ଯାଏଁ ଗ୍ରାହକଙ୍କ ପାଇଁ କୌଣସି ନୂଆ ଆଇନର ଆବଶ୍ୟକତା ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏହା ବିଷୟରେ
ଜୁଲାଇ ୨୦ତାରିଖରୁ ଦେଶବ୍ୟାପି ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ ୨୦୧୯ଲାଗୁ ହୋଇଯିବ। କେନ୍ଦ୍ର ସରକାର ନୋଟିଫିକେସନ ମଧ୍ୟ ଜାରି କରି ଦେଇଛି। ଏହା ପାଖାପାଖି ୩୫ବର୍ଷ ପୁରୁଣା ଉପଭୋକ୍ତା ସଂରକ୍ଷଣ ଆଇନ-୧୯୮୬ର ସ୍ଥାନ ନେବ।
କିଛି ଦିନ ତଳେ ଉପଭୋକ୍ତା ଏବଂ ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶଓ୍ବାନ କହିଥିଲେ ଯେ ଏହା ଲାଗୁ ହୋଇଯିବା ପରେ ଗ୍ରାହକଙ୍କ ପାଇଁ ଆଗାମୀ ୫୦ବର୍ଷ ଯାଏଁ ଅନ୍ୟ କୌଣସି ଆଇନ କରିବାର ଆବଶ୍ୟକତା ପଡ଼ିବ ନାହିଁ।
ନୂଆ ଆଇନ୍ ଲାଗୁ ହେବା ପରେ କୌଣସି ଉତ୍ପାଦ ସମ୍ବନ୍ଧରେ ଭ୍ରମାତ୍ମକ ବିଜ୍ଞାପନ ଦେବା ମହଙ୍ଗା ପଡ଼ିବ କାରଣ ନୂଆ ଆକ୍ଟରେ ଭ୍ରମାତ୍ମକ ବିଜ୍ଞାପନ ଦେଲେ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି।
ନୂଆ ଆଇନ ଆସିବା ପରେ ଉପଭୋକ୍ତା ବିବାଦର ସମୟରେ,ପ୍ରଭାବୀ ଏବଂ ତ୍ବରିତ ଗତିରେ ସମାଧାନ କରାଯାଇପାରିବ। ନୂଆ ଆଇନ ଅନୁସାରେ ଉପଭୋକ୍ତା ଅଦାଲତ ସହ ଏକ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ କରାଯାଇଛି।
ଏହି ପ୍ରାଧିକରଣ ଉପଭୋକ୍ତାଙ୍କ ହିତର ରକ୍ଷା କଠୋରତା ହେବା ପାଇଁ ନଜର ରଖିବ। ଏହି ପ୍ରାଧିକରଣ ନିକଟରେ ଜୋରିମାନା ଲଗାଇବାଠୁ ଆରମ୍ଭ କରି ଦଣ୍ଡ ଶୁଣାଇବାର ଅଧିକାର ରହିବ।
ନୂଆ ଆଇନରେ ଦେଶର ଉପଭୋକ୍ତା ଯେକୌଣସି ସ୍ଥାନରୁ ଜିନିଷ କିଣିଥିଲେ ମଧ୍ୟ ଯେକୌଣସି କଞ୍ଜ୍ୟୁମର କୋର୍ଟରେ ମାମଲା ରୁଜୁ କରିପାରିବେ।
ସେହିପରି ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଗ୍ରାହକଙ୍କ ସମସ୍ୟା ଶୁଣିବ। ଉଦାହରଣ ପାଇଁ ଯଦି ଆପଣଙ୍କଠୁ କୌଣସି ଦୋକାନୀ ଅଧିକ ମୂଲ୍ୟ ନେଉଛି ଏବଂ ଆପଣଙ୍କ ସହ ଦୁର୍ବ୍ୟବହାର କରୁଛି କିମ୍ବା ତ୍ରୃଟିପୂର୍ଣ୍ଣ ବସ୍ତୁ ବିକ୍ରି କରୁଛି ତେବେ ଏହି ମାମଲାର ମଧ୍ୟ ଶୁଣାଣି କରିବ।
ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ ୨୦୧୯ ଏବର୍ଷ ଜାନୁୟାରୀରେ ଲାଗୁ ହେବାର ଥିଲା କିନ୍ତୁ ଏହାର ସମୟ ମାର୍ଚ୍ଚ ପାଇଁ ବଢ଼ାଇ ଦିଆଯାଇଥିଲା।
ଦେଶବ୍ୟାପି ଲକଡାଉନ୍ ପରେ ଏହାର ସମୟ ପୁଣି ଥରେ ଆଗକୁ ବଢ଼ାଇ ଦିଆଯାଇଥିଲା କିନ୍ତୁ ଏବେ ଏହାର ଅଧିସୂଚନା ଜାରି ହୋଇ ଯାଇଛି ଏବଂ ଜୁଲାଇ ୨୦ତାରିଖରୁ ଦେଶବ୍ୟାପି ନୂଆ ଉପଭୋକ୍ତା ସଂରକ୍ଷଣ ଆଇନ୍ ଲାଗୁ ହୋଇଯିବ।