କୋଟିପତି ହେବା ନିଶାରେ କନେଷ୍ଟବଳଙ୍କୁ ଘାରିଥିଲା ବେଟିଂ, ୫୦ଲକ୍ଷରୁ ଅଧିକ ରଣ କରି ଏବେ ଫେରାର

Published By : Prameya-News7 Bureau | June 09, 2020 IST

ଜଗତସିଂହପୁର ୦୯।୦୬: ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହେଉଥିବା ବଡ଼ଧରଣର ବେଟିଂ (ଟଙ୍କା ବାଜି ଲଗାଇବା)ର ଏକ ଘଟଣା ସାମ୍ନାକୁ ଆସିଛି । ଏହି ର‌୍ୟାକେଟ୍‌ରେ ଜଗତସିଂହପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ଏପିଆର୍‌ କନ୍‌ଷ୍ଟେବଲଙ୍କ ସଂପୃକ୍ତି ଥିବା ଚର୍ଚ୍ଚାର ପରିଧିକୁ ଆସିଛି । ବେଟିଂରେ ଲକ୍ଷାଧିକ ଟଙ୍କା କ୍ଷତି ସହିବା ପରେ ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଳ ପାଖାପାଖି ମାସେ ହେଲାଣି ଅଣ୍ଡର୍‌ଗ୍ରାଉଣ୍ଡ୍‌ ହୋଇଯାଇଛନ୍ତି । କରଜରେ ଟଙ୍କା ନେବା ସମୟରେ ଅନେକଙ୍କୁ ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଳ ନିଜର ଚେକ୍‌ ଦେଇଛନ୍ତି । ତେଣୁ ଟଙ୍କା ଫେରିବା ଆଶା ରଖି କେହି ଜଣେ ହେଲେ କରଜଦାତା କୌଣସି ସ୍ତରରେ ଏ ସମ୍ବନ୍ଧରେ ଅଭିଯୋଗ ଆଣି ନାହାନ୍ତି ।

ଜିଲ୍ଲା ଏସ୍‌ପିଙ୍କ ଆବାସିକ ଦପ୍ତରରେ ଡ୍ୟୁଟି କରୁଥିବା ଅନ୍ୟ ଜଣେ ଏପିଆର୍‌ କନ୍‌ଷ୍ଟେବଲ କରଜରେ ବୁଡ଼ିଥିବା ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଲଙ୍କ ଘନିଷ୍ଠ ସହଯୋଗୀ ଥିବା କୁହାଯାଉଛି । ଅବଶ୍ୟ ଆବାସିକ ଦପ୍ତରରେ କାମ କରୁଥିବା ଏହି କନ୍‌ଷ୍ଟେବଲଙ୍କର ବେଟିଂରେ କେତେ ସଂପୃକ୍ତି ରହିଛି ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁ । ଜଣେ କନ୍‌ଷ୍ଟେବଲଙ୍କ ଦ୍ୱାରା ଏତେ ବଡ଼ ବେଟିଂ କାରବାର କରାଯିବା ସନ୍ଦେହଜନକ ମନେହେଉଛି । ତେଣୁ ଏହା ପଛରେ ବଡ଼ଧରଣର ସିଣ୍ଡିକେଟ୍‌ ରହିଥିବା ଅନୁମାନ କରାଯାଉଛି । ଆଉ ଏହାର ଚେର ଅନ୍ୟ ଜିଲ୍ଲା ପୁଲିସରେ କାର୍ଯ୍ୟ କରୁଥିବା ନିର୍ଦ୍ଦିଷ୍ଟ କିଛି ଏପିଆର୍‌ କନ୍‌ଷ୍ଟେବଳଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଅନ୍ଦାଜ କରାଯାଉଛି ।

ମିଳିଥିବା ଖବର ମୁତାବକ, ୨୦୧୮ ମସିହାରୁ ଏ ପ୍ରକାର ସଟ୍ଟାବାଜି ବା ବେଟିଂ ଚକ୍କରରେ ପଡ଼ିଥିଲେ ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଲ । ପ୍ରଥମେ ପ୍ରଥମେ ଘରେ ବାପା, ମା’ଙ୍କ ଦେହ ଅସୁସ୍ଥ, ଚିକିତ୍ସା ନିମନ୍ତେ ଅର୍ଥ ଆବଶ୍ୟକ କହି ନିଜର କିଛି ସହଯୋଗୀ ପୁଲିସ କର୍ମଚାରୀଙ୍କଠାରୁ ୧୦, ୨୦, ୫୦ ହଜାର କରି ଟଙ୍କା କରଜ ସୂତ୍ରରେ ନେଇଥିଲେ । ଟଙ୍କା ନେବା ସମୟରେ ଅନେକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚେକ୍‌ ପ୍ରଦାନ କରିଥିଲେ । ଏଣେ ନିଜର ବ୍ୟାଙ୍କ ଜମାଖାତାରୁ ଋଣ ଉଠାଇ ନେଇଥିଲେ । ପରବର୍ତ୍ତୀ ସମୟରେ ବାହାର ମାର୍କେଟରୁ ଅର୍ଥାତ ପରିଚିତ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଉଠାଇଥିଲେ ।

ନିଜ ନାମ ଗୋପନ ରଖି କିଛି ଏପିଆର୍‌ କନ୍‌ଷ୍ଟେବଲ ଦେଇଥିବା ସୂଚନା ଅନୁସାରେ, ବେଟିଂରେ ସଂପୃକ୍ତ ଏହି ଏପିଆର୍‌ କନ୍‌ଷ୍ଟେବଳ ପାଖାପାଖି ଅଧ କୋଟିରୁ ଊଦ୍ଧ୍ୱର୍ ଟଙ୍କା କରଜ କରି ସାରିଛନ୍ତି । ବାହାର ବଜାରରୁ ଅଣାଯାଇଥିବା କରଜକୁ ହିସାବକୁ ନିଆଗଲେ ଏହା ୮୦ ଲକ୍ଷ ପର୍ଯ୍ୟନ୍ତ ଟପିଯାଇ ପାରେ । ଅଧିକାଂଶ ସମୟରେ ସଂପୃକ୍ତ କନ୍‌ଷ୍ଟେବଳ ନିଜର ଦୁଇଟି ମୋବାଇଲ୍‌ ଫୋନ୍‌ ବ୍ୟବହାରରେ ବ୍ୟସ୍ତ ରହିଥାନ୍ତି । କେତେବେଳେ କେମିତି ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ବିଷୟରେ ଆଲୋଚନା କରିଥାନ୍ତି । ତେଣୁ ସେ ବେଟିଂ କରୁଥିବା ସନ୍ଦେହ କରିଛନ୍ତି ନିର୍ଦ୍ଦିଷ୍ଟ କିଛି ପୁଲିସ କର୍ମଚାରୀ । ସମ୍ଭବତଃ ବେଟିଂରେ ଏହି ପୁଲିସ କର୍ମଚାରୀଙ୍କ ହାତରେ ମୋଟା ଟଙ୍କା ଲାଗି ଯାଇଥିଲା । ତେଣୁ ଅଧିକ ପାଇବା ଆଶାରେ ଲକ୍‌ଡାଉନ୍‌ର କିଛି ମାସ ପୂର୍ବରୁ ନାମୀଦାମୀ କ୍ରୀଡ଼ା ପ୍ରତିଯୋଗିତାରେ ସଂପୃକ୍ତ ପୁଲିସ କର୍ମଚାରୀ ଅଧିକ ଟଙ୍କା ଖଟାଇ ଦେଇଥିଲେ, ହେଲେ ବାଜି ପଲଟି ଯାଇଥିଲା । ଏଣଉ ଋଣ ବୋଝରେ ବୁଡ଼ି ଯାଇ ସେ ଏକ ପ୍ରକାର ଆତ୍ମଗୋପନ କରିଥିବା ପୁଲିସ ମହଲରେ ଗୁଞ୍ଜରିତ ହୋଇଛି । କେବଳ ବେଟିଂ କାହିଁକି ବାହାର ବ୍ୟବସାୟୀଙ୍କ ସହିତ ଲଟେରୀ ଖେଳୁଥିଲେ ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଲ ।

ଅନେକ ସମୟରେ କଟକ ମଧ୍ୟ ଯାଉଥିଲେ । କେବଳ ଏହି ଜଣେ ନୁହଁନ୍ତି ଜିଲ୍ଲାର ଆଉ କିଛି ଏପିଆର୍‌ କନ୍‌ଷ୍ଟେବଲ୍‌ ଲଟେରୀ ଖେଳରେ ପୁଞ୍ଜି ଖଟାଇଥିବା କୁହାଯାଉଛି । କିଛି ବର୍ଷ ତଳେ ଜଗତସିଂହପୁର ସହରରେ ଚାଲିଥିବା ସୁଧ ବେପାରରେ ହାତ ଗଣତି କିଛି ପୁଲିସ କର୍ମଚାରୀ ଅର୍ଥ ଖଟାଇଥିଲେ । ଏମାନଙ୍କ ଭିତରୁ ଅନେକ ସହର ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଗାବାଡ଼ି କିଣି ପକାଇଥିବା ମଧ୍ୟ କୁହାଯାଉଛି । ହେଲେ ଏବେ ବେଟିଂକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସଂପୃକ୍ତ ଏପିଆର୍‌ କନ୍‌ଷ୍ଟେବଲ୍‌ । ଲକ୍ଷଲକ୍ଷ ଟଙ୍କା ଧାର୍‌ କରିଥିଲେ ସୁଦ୍ଧା ତାଙ୍କର ସେଭଳି କିଛି ଅଧିକ ସମ୍ପତ୍ତି ନଜରକୁ ଆସିନାହିଁ । ଏ ସଂପର୍କରେ ପୁଲିସ କର୍ମଚାରୀ କେହି ମୁହଁ ଖୋଲିବାକୁ ରାଜି ହେଉନଥିବାରୁ ଘଟଣାଟି ଅଧିକ ରହସ୍ୟମୟ ମନେହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.