ନିଜ ଜୀବନକୁ ବାଜି ଲଗାଇ ମହିଳା ଏବଂ ୨ ଶିଶୁଙ୍କ ଜୀବନ ରକ୍ଷାକଲେ ଆରପିଏଫ କନେଷ୍ଟବଳ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪ : ରେଲୱେ ସୁରକ୍ଷାବଳର ବୀର ଯବାନ ନିଜ ଜୀବନକୁ ବାଜି ଲଗାଇ ୩ଜୀବନ ବଂଚାଇଛନ୍ତି | ମରିବା ପୂର୍ବରୁ ସେ ମଣିଷତ୍ୱର ଏଭଳି ଏକ ଉଦାହରଣ ଦେଇଯାଇଛନ୍ତି ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି | ଦିଲ୍ଲୀ ଆଜାଦପୁର ୭ ନମ୍ବର ସିଗନାଲ ନିକଟରେ ସୋମବାର ରାତିରେ ଘଟିଥିଲା ଏହି ଘଟଣା |


ରେଲୱେ ସୁରକ୍ଷାବଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, କନେଷ୍ଟବଳ ଜଗବୀର ସିଂହ ସୋମବାର ରାତିରେ ଆଜାଦପୁର ରେଲୱେ ଟ୍ରାକ ୭ ନମ୍ବର ସିଗନାଲ ନିକଟରେ ନିୟୋଜିତ ଥିଲେ | ସେ ସୁରକ୍ଷା ଦାୟିତ୍ୱରେ ଥିଲେ | ତାଙ୍କ ଡ୍ୟୁଟି ରାତି ୮ଟା ରୁ ସକାଳ ୮ଟା ପର୍ଯ୍ୟନ୍ତ ଥିଲା | ରାତି ପ୍ରାୟ ସାଢେ ୯ଟା ବେଳେ ଉଭୟ ତରଫରୁ ଗ୍ରୀନ ସିଗନାଲ ଥିଲା |


ଏତିକିବେଳେ ଗୋଟିଏ ଟ୍ରେନ ଦିଲ୍ଲୀରୁ ଅମ୍ବାଲା ଯାଉଥିଲା | ଠିକ ସେତିକିବେଳେ ଆଉ ଏକ ଟ୍ରେନ କାଲକାରୁ ନୂଆଦିଲ୍ଲୀ ଯାଉଥିଲା | ସେତେବେଳେ ଜଗବୀର ସିଂହଙ୍କ ନଜର ଟ୍ରାକ ପାରି କରୁଥିବା ମହିଳା ଏବଂ ଶିଶୁଙ୍କ ଉପରେ ପଡିଥିଲା | ସେ ଜାଣିଗଲେ ଯେ, ଏମାନେ ଅମ୍ବାଲା ଯାଉଥିବା ଟ୍ରେନ ବିଷୟରେ ଜାଣିଛନ୍ତି କିନ୍ତୁ ଆର ପଟୁ ଆସୁଥିବା ଟ୍ରେନ ବିଷୟରେ ଜାଣିପାରୁ ନାହାନ୍ତି | ଏହା ଦେଖି ଜଗବୀର ସିଂହ ପାଟି କରି ସେମାନଙ୍କ ଆଡକୁ ଦୌଡ଼ିଥିଲେ | କିନ୍ତୁ ଟ୍ରେନର ଶବ୍ଦ ଯୋଗୁଁ ସେମାନଙ୍କୁ ଜଗବୀର ସିଂହଙ୍କ ଆବାଜ ଶୁଣାଯାଇନଥିଲା |


ଜଗବୀର ସିଂହ ଦୌଡ଼ି ଦୌଡ଼ି ତାଙ୍କ ପାଖରେ ପହଂଚିଥିଲେ | ସେ ମହିଳା ଏବଂ ଶିଶୁଙ୍କୁ ଟ୍ରାକର ଅନ୍ୟ ପଟକୁ ଧକ୍କା ଦେଇଥିଲେ | ଯାହାଫଳରେ ସେମାନଙ୍କ ଜୀବନ ବଂଚିଗଲା | କିନ୍ତୁ ସେ ନିଜ ଜୀବନ ବଞ୍ଚାଇ ପାରିଲେନି | ସେ ନିଜେ ଟ୍ରାକରୁ ବାହାରିବା ପୂର୍ବରୁ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା | ଟ୍ରେନ ଧକ୍କା ଦେବା ଫଳରେ ଜଗବୀର ଛିଟିକି ଦୂରରେ ପଡିଗଲେ | ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା |


୫୦ ବର୍ଷ ବୟସ୍କ ଜଗବୀର ସିଂହଙ୍କ ଘର ସୋନିପତରେ | ସେ ରେଲୱେ ପୋଲିସରେ କନେଷ୍ଟବଳ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.