ଆଖିବୁଜିଲେ ଗଙ୍ଗା ଯମୁନା, ଉଭୟଙ୍କର ଥିଲା ଗୋଟିଏ ହାର୍ଟ
5/07/2019 at 10:20 PM

କଟକ ୫।୭: କଟକ ଶିଶୁ ଭବନରେ ଭର୍ତ୍ତି ହୋଇଥିବା ଢେଙ୍କାନାଳର ଯୋଡା ଶରୀର ଶିଶୁ କନ୍ୟା ଗଙ୍ଗା ଯମୁନାଙ୍କର ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ୫ ଦିନ ପୂର୍ବେ ଶିଶୁଙ୍କୁ କଟକ ଶିଶୁ ଭବନ ଅଣାଯାଇଥିଲା। ସେମାନଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ୱେ ଶିଶୁ ଆଖି ବୁଜିଛନ୍ତି।
ସେମାନଙ୍କ ଅସ୍ତ୍ରୋପଚାର କରି ପୃଥକ କରିବାକୁ ଡାକ୍ତର ଚିନ୍ତା କରିଥିଲେ। ଏଣୁ ସେମାନଙ୍କର ପରୀକ୍ଷା ନିରିକ୍ଷା ହୋଇଥିଲା। ତେବେ ଉଭୟଙ୍କର ଗୋଟିଏ ହାର୍ଟ ଥିବାରୁ ଦୁଇ ଜଣଙ୍କୁ ଏକ ସମୟରେ ବଞ୍ଚାଇ ରଖା ଯାଇପାରିବନି ବୋଲି ଡାକ୍ତରମାନେ ନିଶ୍ଟିତ ହୋଇଥିଲେ। ତେବେ ଏ ନେଇ କୌଣସି ଉଦ୍ୟମ ଆରମ୍ଭ ହେବା ପୂର୍ବରୁ ହିଁ ଆରପାରିକୁ ଚାଲିଯାଇଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ଯୋଡା ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କର ଏମଆରଆଇ, ସ୍କାନିଂ ଓ ଅଲଟ୍ରାସାଉଣ୍ଡ କରାଯାଇ ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ଡାକ୍ତରୀ ଟିମ୍ ତର୍ଜମା କରିଥିଲେ । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଯୋଡା ଶିଶୁକନ୍ୟାଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି । ପୂର୍ବରୁ ଯୋଡା ଶିଶୁଙ୍କର ଗୋଟିଏ ହୃତପିଣ୍ଡ ଥିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ତେବେ ପରେ ସେମାନଙ୍କର ଗୋଟିଏ ଲିଭରଥିବା ଜଣାପଡିଥିଲା। ତେଣୁ ଶିଶୁ ଦୁଇ ଜଣଙ୍କୁ ଅପରେସନ କରି ଅଲଗା କରିବା କଷ୍ଟକର ବୋଲି ଡାକ୍ତର ସକାଳେ କହିଥିଲେ ।