ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ, ଇସ୍ତଫା ଦେଇପାରନ୍ତି ରାହୁଲ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫|୫: ଆଜି ଦିଲ୍ଲୀରେ ବସିବ ସିଡବ୍ଲୁସି ବୈଠକ । ଲଗାତର ଦ୍ବିତୀୟଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାର ସମୀକ୍ଷା କରିବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି । ଆଜିର ବୈଠକରେ ଦଳ ପରାଜୟର ମାନସ ମନ୍ଥନ କରାଯିବ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ୫ମାସ ପୂର୍ବେ ଦଳ ବିଧାନସଭା ନିର୍ବାଚନ ଜିତିଥିଲା । ଏହା ବ୍ୟତୀତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ଉପରେ ମଧ୍ୟ ମାନସ ମନ୍ଥନ ହେବ । ଏଠାରେ କଂଗ୍ରେସ ସରକାରରେ ଥିଲେ ମଧ୍ୟ ଏଥର ବିଜେପି ୨୮ ଆସନରୁ ୨୫ଆସନରେ ବିଜୟୀ ହୋଇଛି । କଂଗ୍ରେସକୁ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଦଳର ଅଧକ୍ଷ ରାହୁଲ ଗାନ୍ଧି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ସ୍ବୀକାର କରାଯିବନାହିଁ । ଦଳ ତାଙ୍କ ନେତୃତ୍ବରେ କାମ କରିବା ପାଇଁ ପ୍ରକାଶ କରିବ ।

ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ସିଟ୍ ରେ ବିଜୟୀ ହୋଇଛି । ୧୮ଟି ରାଜ୍ୟ ଓ କେନ୍ଦ୍ରସାଶିତ ଅଞ୍ଚଳରେ ଦଳ ଖାତା ଖୋଳିପାରିନି । ଏହା କଂଗ୍ରେସର କ୍ରମାଗତ ବଡ ବିପର୍ଯ୍ୟୟ । ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ନଗର ହାବେଳି, ଡାମନ ଡିଉ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁକଶ୍ମୀର, ଲାକ୍ଷାଦୀପ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ରାଜସ୍ଥାନ, ସିକିମ୍, ତ୍ରିପୁରା ଓ ଉତ୍ତରାଖଣ୍ଡରେ ଖାତା ଖୋଲିପାରିନି କଂଗ୍ରେସ । 

୨୦୧୪ରେ ଦଳ ୪୪ଟି ଆସନରେ ଜିତିଥିଲା । ଚଳିତ ଥର ଦଳ ୮ଟି ଅଧିକ ସିଟ୍ ରେ ବିଜୟୀ ହୋଇଛି ।

କଂଗ୍ରେସର ପରାଜୟ ପରେ ଓଡିଶା, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶର ପ୍ରଦେଶ କଂଗ୍ରେସ ସଭାପତି ଇସ୍ତଫା ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.