ରାହୁଲ ପୁଣି ଧରିବେ କଂଗ୍ରେସର ମଙ୍ଗ ! ଜାନୁଆରୀ ୨୨ ସିଡବ୍ଲୁସି ବୈଠକରେ ଅଧ୍ୟକ୍ଷ ନିର୍ବାଚନକୁ ମିଳିପାରେ ମଞ୍ଜୁରୀ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧।୧: କଂଗ୍ରେସ ଦଳରେ ବହୁ ଦିନ ଧରି ନେତୃତ୍ବ ପରିବର୍ତ୍ତନ କରିବାକୁ ନେଇ ନାନା ଚର୍ଚ୍ଚା ଚାଲିଆସୁଥିଲା । ମାତ୍ର ଏବେ ଲାଗୁଛି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବାର ସମୟ ଆସିଯାଇଛି । କଂଗ୍ରେସ ଦଳରେ ସଂଗଠନ ନିର୍ବାଚନ କରାଇବାକୁ ନେଇ ଚାଲିଥିବାଦାବି ମଧ୍ୟରେ ଜାନୁଆରୀ ୨୨ ତାରିଖରେ କଂଗ୍ରେସ କାର୍ଯ୍ୟସମିତି ବୈଠକ ଡକାଯାଇଛି । ବୈଠକରେ ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ନେଇ ଆଶା କରାଯାଉଛି ।

ଏହାସହ ବୈଠକରେ ଦଳ କୃଷକ ଆନ୍ଦୋଳନ ଏବଂ ସଂସଦର ବଜେଟ୍ ଅଧିବେଶନ ନେଇ ରଣନୀତି ଉପରେ ଚର୍ଚ୍ଚା କରିପାରେ ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଜାନୁଆରୀ ୨୨ ତାରିଖରେ ସିଡବ୍ଲୁସିର ଡିଜିଟାଲ ବୈଠନ ହେବ । ବୈଠକରେ ନୂଆ ଅଧ୍ୟକ୍ଷ ନିର୍ବାଚନ କାର୍ଯ୍ୟକ୍ରମ ସହ ଚାଷୀ ଆନ୍ଦୋଳନ ଏବଂ ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେବ । ସିଡବ୍ଲୁସିର ଅଧ୍ୟକ୍ଷ ପଦ ନିର୍ବାଚନ କାର୍ଯ୍ୟକ୍ରମ ଉପରେ ମୋହର ଲଗାଇବା ପରେ ତାରିଖ ଘୋଷଣା ହୋଇପାରେ । ଦଳ ଭିତରେ କନ୍ଦଳ ଲାଗିରହିଥିବା ବେଳେ ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଦଳର ୨୩ ଜଣ ନେତା କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନେକ ପ୍ରଶ୍ନ କରିଥିଲେ । ଏହି ନେତାମାନେ ଅଧ୍ୟକ୍ଷ ପଦ ସହ ସିଡବ୍ଲୁସି ଏବଂ ସଂଗଠନର ଅନ୍ୟ ପଦ ପାଇଁ ନିର୍ବାଚନ କରିବାକୁ ଦାବି କରିଥିଲେ ।

ଅଧ୍ୟକ୍ଷ ପଦ ସହ ସିଡବ୍ଲୁସିର ୧୨ ସଦସ୍ୟଙ୍କ ପାଇଁ ନିର୍ବାଚନ କରାଯିବ କି ନାହିଁ ଏ ସମ୍ବନ୍ଧରେ ଏବେ ସ୍ପଷ୍ଟ ହୋଇନାହିଁ । ଅସନ୍ତୁଷ୍ଟ ନେତାଙ୍କ ଭରସା ଜିତିବାକୁ ପ୍ରୟାଶ କରି କଂଗ୍ରେସ ଅଧ୍ୟକ୍ଷ ଜାନୁଆରୀ ୧୯ ତାରିଖରେ ଶେମାନଙ୍କ ସହ ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ । କଂଗ୍ରେସ କାର୍ଯ୍ୟସମିତି ତାଙ୍କ ଇସ୍ତଫାକୁ ଗ୍ରହଣ କରି ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷର ଦାୟିତ୍ବ ପ୍ରଦାନ କରିଥିଲେ । ଦଳର ଅଧିକାଂଶ ସଦସ୍ୟ ରାହୁଲ ଗାନ୍ଧିକୁ ପୁଣି ଥରେ ଅଧ୍ୟକ୍ଷ କରିବାକୁ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.