'ଅଖିଳେଶଙ୍କୁ କମ ସିଟ୍ ପଡିଲେ ଦେବୁ ସମର୍ଥନ, ମେଣ୍ଟ କରିବାକୁ ବି ପ୍ରସ୍ତୁତ', ସ୍ପଷ୍ଟ କଲେ ପ୍ରିୟଙ୍କା ଗାନ୍ଧୀ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଚରମରେ ଦେଶର ରାଜନୀତି। ଦେଶର ସବୁଠୁ ବଡ ରାଜ୍ୟରେ ନିଜର ରାଜନୈତିକା ପତିଆରା ଜମାଇବାକୁ କସରତ ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ତେବେ ଶନିବାର ୟୁପି ରାଜନୀତିରେ ଦେଖିବାକୁ ମିଳିଛି ନୂତନ ଟ୍ଵିଷ୍ଟ। ନିର୍ବାଚନ ପରେ ସମାଜବାଦୀ ପାର୍ଟି(ସପା) ସହ ମେଣ୍ଟ ସମ୍ଭାବନାକୁ ସ୍ଵୀକାର କରିଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି, ଯଦି ଅଖିଳେଶ ଯାଦବଙ୍କୁ ସରକାର ଗଠନ ପାଇଁ କିଛି ସିଟ୍ କମ ପଡେ ତେବେ କଂଗ୍ରେସକୁ ସମର୍ଥନ ଦେବାରେ କୌଣସି ସମସ୍ୟା ନାହିଁ। ବାସ୍ କେବଳ ଏତିକି ସର୍ତ୍ତ, ଯୁବ ଏବଂ ମହିଳାଙ୍କ ପାଇଁ କଂଗ୍ରେସ ପ୍ରସ୍ତୁତ କରିଥିବା ଏଜେଣ୍ଡା ପୂରା କରାଯିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରିୟଙ୍କା ଶନିବାର ନ୍ୟୁଜ୍ ୨୪କୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପାର୍ଟି ନିର୍ବାଚନ ପରେ ସପା ସହ ମେଣ୍ଟକୁ ସ୍ଵୀକାର କରୁଛି। ତାଙ୍କୁ ପଚରାଯାଇଥିଲା ଯେ, ଯଦି ଦରକାର ପଡିଲେ ସବୁ ରାଜନୈତିକ ଦଳ ଏକାଠି ଆସିବେ, ତେବେ ଆପଣ କଣ ଅଖିଳେଶଙ୍କୁ ସମର୍ଥନ ଦେବେ ? ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ଯଦି ଏମିତି ପରିସ୍ଥିତି ଉପୁଜେ ତେବେ ମୋତେ ଲାଗୁନାହିଁ ଏଥିରେ କୌଣସି ସମସ୍ୟା ଅଛି। ଯଦି ଅଖିଳେଶ କିଛି ସିଟ୍‌ ପଛରେ ରହିଯିବେ, ତେବେ କଣ କଂଗ୍ରେସ ସମର୍ଥନ ଦେବ ? ଏହା ଉପରେ ପ୍ରିୟଙ୍କା କହିଛନ୍ତି, ନିଶ୍ଚୟ ସମର୍ଥନ ଦେବୁ। କିନ୍ତୁ ସର୍ତ୍ତ ଏହା ଯେ, ମୋର ଯୁବ ବର୍ଗ ଏବଂ ମହିଳାଙ୍କ ଏଜେଣ୍ଡା ଲାଗୁ କରାଯିବ।

ପ୍ରିୟଙ୍କା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ମାର୍ଚ୍ଚ ୧୦ରେ ଫଳାଫଳ ଯାହା ବି ଆସୁ, ସେ ମହିଳା ଏବଂ ଯୁବ ବର୍ଗଙ୍କ ପାଇଁ ସଂଘର୍ଷ କରି ଚାଲିବେ। ଆମକୁ ମହିଳାଙ୍କୁ ସଶକ୍ତ କରିବାକୁ ପଡିବ। ଏଥିପାଇଁ ଆମେ ବହୁତ ମଜବୁତ ସହ ଲଢୁଛୁ। କେବଳ କ୍ଷମତା ପାଇଲେ ଏସବୁ କରିବୁ, ସେମିତି କିଛି ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.