ୟୁପି ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ୍‌, ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବ ଦଳ

Published By : Prameya-News7 Bureau | October 19, 2021 IST

ଲକ୍ଷ୍ନୌ ୧୯/୧୦ : ଆଉ ମାତ୍ର ମାସ କେଇଟା ପରେ ଉତ୍ତର ପ୍ରଦେଶରେ ହାଇଭୋଲଟେଜ୍‌ ବିଧାନସଭା ନିର୍ବାଚନ । ବିଜେପି ସମେତ ୪ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ରଣାଙ୍ଗନ ପାର୍‌ ହେବାପାଇଁ ଏବେ ଠାରୁ ସଜବାଜ ହୋଇଗଲେଣି । କ୍ଷମତାରେ ଥିବା ବିଜେପି ଗଡ ବଜାୟ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି । ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନରେ ତାଙ୍କ ଦଳ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଏସ୍‌ପି ମଧ୍ୟ ଜୋରଦାର କସରତ ଆରମ୍ଭ କରିଦେଲାଣି । ଏବେ ୟୁପି ନିର୍ବାଚନ ପାଇଁ ମାଷ୍ଟର କାର୍ଡ ଖେଳିବାକୁ ଯାଉଛି କଂଗ୍ରେସ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଏକ ପ୍ରେସ୍‌ କନଫରେନ୍ସ କରି ପ୍ରିୟଙ୍କା ଗାନ୍ଧି ଘୋଷଣା କରିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେବ । ଅର୍ଥାତ, ମହିଳା କାର୍ଡ ଖେଳି ମାଇଲେଜ୍‌ ନେବାକୁ ଚେଷ୍ଟା କରିବ କଂଗ୍ରେସ । ଉତ୍ତର ପ୍ରଦେଶରେ କଂଗ୍ରେସର ଦଳୀୟ ସଂଗଠନ ସେତେଟା ଭଲ ନଥିବା ବେଳେ ପ୍ରିୟଙ୍କା ଗାନ୍ଧି ଦଳ ପାଇଁ ଟ୍ରମ୍ପ କାର୍ଡ ହେବେ ।

ପ୍ରିୟଙ୍କା କହିଛନ୍ତି, ‘ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ କୁହାଯାଇଛି । ଆସନ୍ତା ମାସ ୧୫ ତାରିଖ ଯାଏଁ ଆବେଦନ ପତ୍ର ଦାଖଲ କରାଯିବାକୁ କୁହାଯାଇଛି । ଉତ୍ତର ପ୍ରଦେଶରେ ଆରକ୍ଷଣ ବଢିଲେ ଦେଶ ଆଗକୁ ବଢିବ ।’

ପ୍ରିୟଙ୍କା କହିଛନ୍ତି, ‘କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଓଲ୍ଲାଇବାକୁ ଚାହୁଁଛି । ଏହାର ପ୍ରମୁଖ କାରଣ ହେଉଛି ଉନ୍ନାଓରେ ଜଣେ ନାବାଳିକାକୁ ଜାଳି ହତ୍ୟା କରାଯିବା ଘଟଣା । ସେହି ଲୋମଟାଙ୍କୁରା ଘଟଣାର ପ୍ରତି ଜବାବ ଦେବା ପାଇଁ ମହିଳାଙ୍କୁ ଆଗକୁ ଆଣିବାକୁ ଯାଉଛି କଂଗ୍ରେସ । ଏହା ଛଡା ହାଥରସ୍‌ର ନାବାଳିକାକୁ ହତ୍ୟା ଘଟଣାରେ ଆଜିବି ତାକୁ ନ୍ୟାୟ ମିଳିନାହିଁ । ଏହାର ମଧ୍ୟ ଜବାବ ଦେବେ ଜନତା । ୟୁପିକୁ ଆଗକୁ ବଢିବାକୁ ହେଲେ ମହିଳାଙ୍କୁ ଆଗକୁ ବଢିବାକୁ ହେବ ।’

ଯୋଗୀ ସରକାରକୁ ଟାର୍ଗେଟ କରି ପ୍ରିୟଙ୍କା ଗାନ୍ଧି କହିଛନ୍ତି, କ୍ଷମତାରେ ଥିବା ଦଳ ଜନସାଧାରଣଙ୍କୁ ଦଳିଚକଟି ଶୋଷିବାରେ ବ୍ୟସ୍ତ । ପ୍ରତି ମୂହୁର୍ତ୍ତରେ ଏଠାରେ ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି । ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ଜନତା । ୟୁପିରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧିପାଇବାରେ ଲାଗିଛି । ଯୋଗୀ ସରକାର ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.