SC / ST ଏବଂ OBCଙ୍କୁ ପାର୍ଟିରେ ୫୦ ପ୍ରତିଶତ ସଂରକ୍ଷଣ ଦେବ କଂଗ୍ରେସ, ଚିନ୍ତନ ଶିବିରରେ ହେଲା ନିଷ୍ପତ୍ତି

Published By : Prameya-News7 Bureau | May 14, 2022 IST

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜାରି ରହିଛି କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର। ଶନିବାର ନିଷ୍ପତ୍ତି ନିଆଯାଇଛି ଯେ, ପାର୍ଟି ସଂଗଠନରେ ଏସସି/ଏସଟି  ଏବଂ ଓବିସି ବର୍ଗରୁ ୫୦ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ଦିଆଯିବ। ସୂଚନା ଅନୁଯାୟୀ, ପାର୍ଟିର ଏକ ବଡ ବର୍ଗ ଦୀର୍ଘ ସମୟରୁ ପାର୍ଟି ସଂଗଠନରେ ଏସସି/ଏସଟି ଏବଂ ଓବିସି ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରି ଆସୁଥିଲେ।

ଚିନ୍ତନ ଶିବିରର ଦ୍ଵିତୀୟ ଦିନରେ ପାର୍ଟି ନେତା କେ ରାଜୁ କହିଛନ୍ତି ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣକୁ ନେଇ ଗଠିତ କମିଟି ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ରବିବାର କଂଗ୍ରେସ କାର୍ଯ୍ୟକାରିଣୀରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯିବ। ଏହା ବ୍ୟତୀତ ପାର୍ଟିରେ ସାମାଜିକ ନ୍ୟାୟ ପରାମର୍ଶଦାତା ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି କଂଗ୍ରେସ ଅଧ୍ୟକ୍ଷଙ୍କ ସାମ୍ନାରେ ସାମାଜିକ ପ୍ରସଙ୍ଗ ଉଠାଇବ ଏବଂ ଏହି ବିଷୟରେ ଉଚିତ୍ ପରାମର୍ଶ ଦେବ।  ସାମାଜିକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ଛଅ ମାସରେ ଥରୁଟିଏ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବ।

କେ ରାଜୁ କହିଛନ୍ତି, ଆମେ ଚାହୁଁଛୁ ଜାତୀୟସ୍ତରରେ ଜାତି ଆଧାରିତ ଜନଗଣନା କରାଯାଉ। ଏସସି, ଏସଟି ଏବଂ ଓବିସିକୁ ଘରୋଇ କ୍ଷେତ୍ରରେ ମଧ୍ୟ ସଂରକ୍ଷଣର ଲାଭ ମିଳୁ। ଏହା ବାଦ୍ ପାର୍ଟି ଚାହୁଁଛି ମହିଳା ସଂରକ୍ଷଣ ବିଧେୟକରେ ଅନୁସୂଚିତ ଜାତି ଏବଂ ଜନଜାତି ମହିଳାଙ୍କ ପାଇଁ ଅଲଗା ପ୍ରାବଧାନ କରାଯାଉ।

ସୂଚନାଯୋଗ୍ୟ, ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିରର ରବିବାର ହେବ ତୃତୀୟ ଦିନ। ଦୁଇ ଦିନ ଧରି ଅଲଗା ଅଲଗା କମିଟିରେ ଯେଉଁ ନିଷ୍ପତ୍ତି ନିଆଯାଇଛି ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଉପସ୍ଥାପନ କରାଯିବ। ଏହି ନିଷ୍ପତ୍ତି ଉପରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅନ୍ତିମ ମୋହର ମାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.