ଜୁନ୍ରେ କଂଗ୍ରେସକୁ ମିଳିବ ନୂତନ ସଭାପତି ! କାର୍ଯ୍ୟକାରିଣୀ ବୈଠକରେ ବଡ ନିଷ୍ପତ୍ତି
22/01/2021 at 4:24 PM

ନୂଆଦିଲ୍ଲୀ ୨୨।୦୧: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ପାର୍ଟିକୁ ଶୀଘ୍ର ନୂତନ ସଭାପତି ମିଳିବାକୁ ଯାଉଛି। ପାର୍ଟି ନେତା କେସି ବେଣୁଗୋପାଳ ସୂଚନା ଦେଇ କହିଛନ୍ତି ଯେ ସଂଗଠନ ନିର୍ବାଚନ ମେ ମାସରେ କରାଇବା ପାଇଁ କେନ୍ଦ୍ରୀୟ ନିର୍ବାଚନ ପ୍ରାଧୀକରଣ ସହମତି ପ୍ରଦାନ କରିଛି। ହେଲେ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ଏକମତ ହୋଇଛନ୍ତି ଯେ, ସୋନିଆ ଗାନ୍ଧୀ ସ୍ଥିର କରନ୍ତୁ ଯେ ନିର୍ବାଚନ କେବେ ହେବ। ସେ କହିଛନ୍ତି ୨୦୨୧ ଜୁନ ସୁଦ୍ଧା ନୂତନ ସଭାପତି କଂଗ୍ରେସକୁ ମିଳିଯିବ। ଏହି ନିଷ୍ପତ୍ତି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଛି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ସଭାପତି ହେବା ନେଇ ଅନିଚ୍ଛା ପ୍ରକାଶ କରିବା ଏବଂ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ପାର୍ଟିରେ ନୂତନ ସଭାପତି ଖୋଜା ଚାଲିଛି। ଏହା ପୂର୍ବରୁ ଅନେକ ବରିଷ୍ଠ କଂଗ୍ରେସ ନେତା ଚିଠି ଲେଖି ସଂଗଠନ ପାଇଁ ପୂର୍ଣ୍ଣକାଳୀନ ସଭାପତି ଦାବି କରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ସଭାପତି କରାଯାଇଥିଲା। ତେବେଠୁ ସେ ପାର୍ଟିର କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି। ମାତ୍ର ଏବେ ନୂତନ ସଭାପତି ପାଇଁ ଦଳ ଭିତରୁ ସ୍ଵର ଉଠିବାରେ ଲାଗିଛି।
Congress Working Committee has decided that there will be an elected Congress President by June 2021: KC Venugopal, Congress pic.twitter.com/JLcPjDHmB9
— ANI (@ANI) January 22, 2021
ଏହା ପୂର୍ବରୁ ରାମଚନ୍ଦ୍ର ଗୁହାଙ୍କ ପରି ଇତିହାସକାର ନିଜ ଲେଖାରେ ମଧ୍ୟ କହି ସାରିଛନ୍ତି ଯେ, ଗାନ୍ଧୀ ପରିବାରକୁ ଏବେ କଂଗ୍ରେସର ରାଜନୀତିରୁ ଅଲଗା ହୋଇଯିବା ଉଚିତ୍। ଗୁହାଙ୍କ ଏହି ଲେଖାକୁ ନେଇ ଦେଶରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଖୋଦ୍ କଂଗ୍ରେସ ଭିତରେ ଗାନ୍ଧୀ ପରିବାର ବାହାରର କୌଣସି ବ୍ୟକ୍ତିଙ୍କୁ ପାର୍ଟିର ସଭାପତି କରିବାକୁ ଦାବି ଉଠୁଛି। ମାତ୍ର ଏବେ ଲାଗୁଛି ଯେ, କଂଗ୍ରେସ ନିର୍ବାଚନ ଜରିଆରେ କୌଣସି ବାହାର ଲୋକଙ୍କୁ ପାର୍ଟିର ଦାୟିତ୍ଵ ଦେଇପାରେ।