ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦ୍ବନ୍ଦ୍ବ

Published By : Prameya-News7 Bureau | December 13, 2018 IST

ନୂଆଦିଲ୍ଲୀ ୧୩|୧୨: ଛତିଶଗଡ, ରାଜସ୍ଥାନଓ ମଧ୍ୟପ୍ରଦେଶର କଂଗ୍ରେସର ବାଜିମାତ୍ ପରେ ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ତେଜ୍ ହୋଇଛି। ତେବେଏହି ତିନିଟି ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏବେ ବି ଚିତ୍ର ଅସ୍ପଷ୍ଟ ।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏବେ କଂଗ୍ରେସ ଗଢିବ ପରବର୍ତ୍ତୀ ସରକାର। ଏନେଇ ଏବେ ପ୍ରକ୍ରିୟା ତେଜ୍ ହୋଇଛି। ମଧ୍ୟପ୍ରେଦଶରେ ସରକାର ଗଠନ ପାଇଁ  କଂଗ୍ରେସ ଦାବି ଉପସ୍ଥାପନ କରିଛି । କମଲନାଥଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ୧୨୧ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ  ତାଲିକା ରାଜ୍ୟପାଳଙ୍କୁ ଦେଇଛନ୍ତି କମଳନାଥ । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ଛୁଇଁନଥିବା କଂଗ୍ରେସକୁ ବିଏସପି, ଏସପି ଓ ସ୍ବାଧୀନ ପ୍ରାର୍ଥୀ ସମର୍ଥନ କରିବେ ବୋଲି ଘୋଷଣା କରିଛି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି।  ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବରାଜ ସିଂ ଚୌହାନ। ଆଉ କହିଛନ୍ତି ସେ ଏବେ ମୁକ୍ତ। ବିଜେପିବି ସରକାର ଗଠନ ଦାବି ପାଇଁ କୌଣସି ସୂଚନା ଦେଇନାହିଁ।

ସେପଟେ ରାଜସ୍ଥାନରେ ମଧ୍ୟ ସରକାର ଗଠନ ପାଇଁ ରାଜନୈତିକ ଗତିବିଧି ଜୋର ହୋଇଛି। ଚାଲିଛି ବିଧାୟକ ଦଳର ଘନ ଘନ ବୈଠକ ।  ଏଠାରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲେ ମଧ୍ୟ। ସୂଚନା ଅନୁସାରେ ଦୁଇ ତୃତୀୟାଂଶ ବିଧାୟକ କୁଆଡ଼େ ସଚିନଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁଥିଲେ। ତେବେ ନିଷ୍ପତ୍ତି କେବଳ ରାହୁଲଙ୍କର।

ଅନ୍ୟପଟେ ଛତିଶଗଡରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚାଲିଛି ପ୍ରତିଦ୍ବନ୍ଦିତା। ଏଆଇସିସି ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜନୁ ଖଡ଼ଗେ, ରାଜ୍ୟପ୍ରଭାରି ପି ଏଲ ପୁନିଆ ଏବଂ କଂଗ୍ରେସର ଅନ୍ୟ ବରିଷ୍ଠ ନେତା ବୈଠକରେ ଆଲୋଚନା କରୁଛନ୍ତି । ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଆଯିବ ନିଷ୍ପତ୍ତି। ଟିଏସ ସିଂହଦେଓ, ତାମ୍ରଧ୍ବଜସାହୁ ଏବଂ ଭୂପେଶ ବାଘେଲଙ୍କ ମଧ୍ୟରେ ହେବ ସ୍ବୟଂବର।

୫ଟି ରାଜ୍ୟର ବିଧାନସଭାର ଫଳାଫଳ ଦେଶର ଲୋକଙ୍କ ମାନସିକତାର ଦେଇଛି ଆଭାସ ।  ନର୍ବାଚନ ଫଳାଫଳ କଂଗ୍ରେସକୁ ଉତ୍ସାହିତ କରିଥିବା ବେଳେ ବିଜେପିକୁ ତର୍ଜମା କରିବା ପାଇଁ ଦେଇଛି ଅବସର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.