ବିଜେପି ରାସ୍ତାରେ କଂଗ୍ରେସ : ଜାନୁୟାରୀ ୧୫ରେ ଦେଶର ସମସ୍ତ ରାଜଭବନ ସାମ୍ନାରେ କରିବ ବିରୋଧ ପ୍ରଦର୍ଶନ, ଘରକୁ ଘର ବୁଲି ସଂଗ୍ରହ କରିବ ମୁଠାଏ ମାଟି

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ସାରା ଦେଶରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ମଧ୍ୟ କରିଛନ୍ତି । ତେବେ କଂଗ୍ରେସ ଇତିମଧ୍ୟରେ ଆଉ ପାଦେ ଆଗକୁ ଯାଇ ଚାଷୀମାନଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛି । ଆସନ୍ତା ଜାନୁୟାରୀ ୧୫ତାରିଖରେ କୃଷି ଆଇନକୁ ବିରୋଧ କରି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି କଂଗ୍ରେସ ।

ସୂଚନାଯୋଗ୍ୟ, ୮ ଜାନୁୟାରୀରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ତେବେ ଏହି ମୁଦ୍ଦାକୁ ନେଇ କଂଗ୍ରେସ ମଧ୍ୟ ଚାଷୀଙ୍କୁ ସମର୍ଥନ କରିବା ସହ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଚାଷୀଙ୍କ ମୁଦ୍ଦାକୁ ନେଇ ପାର୍ଟି ମହାସଚିବ ଏବଂ ପ୍ରଭାରୀମାନଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସାମିଲ ଥିଲେ ।

ଚାଷୀ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୂର୍ବରୁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ ପ୍ରତିଥର ତାହା ବିଫଳ ହୋଇଛି । ଲଗାତାର ଭାବେ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଚାଷୀ ସଂଗଠନ ନିଜ ଜିଦରେ ଅଟଳ ସେପଟେ କେନ୍ଦ୍ର ସରକାର ମଧ୍ୟ ନୂଆ କୃଷି ଆଇନକୁ କୌଣସି ମତେ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସଫା ସଫା ମନାକରିଦେଇଛନ୍ତି ।

ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ପୁଣି ଥରେ ୧୫ ଜାନୁୟାରୀରେ ଆଲୋଚନା ହେବ । ତେବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଯଦି ଚାଷୀମାନେ ଆଇନ ପ୍ରତ୍ୟାହାର କରିବା ବଦଳରେ ଏହାର କିଛି ବିକଳ୍ପ ପ୍ରସ୍ତାବ ଦେବେ ତାହେଲେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ।

ତେବେ ଆସନ୍ତା ଜାନୁୟାରୀ ୧୫ରେ ନୂଆ ଆଇନକୁ ପ୍ରତ୍ୟାହାର ଦାବିରେ ଦେଶର ସମସ୍ତ ରାଜଭବନ ସାମ୍ନାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ । ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗାଁ ଗାଁ ବୁଲି ମୁଠାଏ ଲେଖାଏଁ ମାଟି ସଂଗ୍ରହ କରିବାକୁ କୁହାଯାଇଛି । ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମମତା ସରକାରଙ୍କ ଏକଛତ୍ରବାଦୀ ଶାସନ ଏବଂ ବେଙ୍ଗଲରେ ହେଉଥିବା ଅରାଜକତାକୁ ଘର ଘର ବୁଲି ମୁଠାଏ ଲେଖାଏଁ ଚାଉଳ ସଂଗ୍ରହ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହି ବିରୋଧ ପ୍ରଦର୍ଶନକୁ ସଫଳ କରାଯିବ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.