ଅର୍ଥନୀତିକୁ ନେଇ କଂଗ୍ରେସ ଟାର୍ଗେଟ୍‌ରେ ବିଜେପି, ଚିଦାମ୍ବରମ କହିଲେ ବାସ୍ତବତା ଲୁଚାଇବାକୁ ସରକାରଙ୍କ ସାଥ ଦେଉଛନ୍ତି ସୀତାରମଣ

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨।୧୧: ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ଗୁରୁବାର  ବିଜେପିକୁ ଘେରିଛି। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ସାମ୍ବାଦିକ ସମ୍ମିଳନୀରେ ସରକାର ଆର୍ଥିକ ସ୍ଥିତିକୁ ନେଇ ଦେଶବାସୀଙ୍କୁ ଅନ୍ଧାରରେ  ରଖିଥିବା ଅଭିଯୋଗ କରିଛନ୍ତି। ଏପରିକି ବାସ୍ତବତା ଚପାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସରକାରଙ୍କ ସାଥ ଦେଉଥିବା ସେ କହିଛନ୍ତି। ପରିସ୍ଥିତି ସୁଧାର ଲାଗି ସରକାରଙ୍କର କୌଣସି ଯୋଜନା ନାହିଁ। ଏହା ସତ୍ତ୍ୱେ ସୀତାରମଣ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା କରୁଥିବା କହିଛନ୍ତି ଚିଦାମ୍ବରମ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୦-୨୧ ଆର୍ଥିକ ବର୍ଷର ରିପୋର୍ଟ ଜାରି କରିଛନ୍ତି। ଯେଉଁଥିରେ ଲଗାତାର ଦୁଇଟି ତ୍ରୈମାସିକରେ ସକଳ ଘରୋଇ ଉତ୍ପାଦ (ଜିଡିପି)ରେ ୮.୬ ପ୍ରତିଶତ ହ୍ରାସ ଅନୁମାନ କରିଛନ୍ତି।  ତେବେ ଜିଡିପିର ଅର୍ଥ ବିକାଶ ହାର (ଗ୍ରୋଥ ରେଟ୍)ରେ ହ୍ରାସ ନୁହେଁ ଏଥିଲାଗି ମୁଖ୍ୟ ସହାୟକ ଜିଡିପି ହିଁ କମିଯାଉଛି। ହେଲେ ସରକାର ଏହାର ଭିନ୍ନ ବ୍ୟାଖ୍ୟା କରି ଲୋଭନୀୟ ପ୍ୟାକେଜ ଜରିଆରେ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିବା ଚିଦାମ୍ବରମ କହିଛନ୍ତି।

ଲଗାତାର ଦୁଇଦୁଇଟି ତ୍ରୈମାସିକ ଫଳାଫଳରେ ଜିଡିପି ହ୍ରାସର ପରିଣାମ ପରବର୍ତ୍ତି ଭୟଙ୍କର ମାନ୍ଦାବସ୍ଥାକୁ ସୂଚିତ କରୁଛି ବୋଲି  କହିଛନ୍ତି ଚିଦାମ୍ବରମ। ଏହି ବାସ୍ତବତା ସହ ଅନଭିଜ୍ଞ ସରକାର ନିଜ ବିଫଳତା ଲୁଚେଇବାକୁ ପ୍ୟାକେଜ ଘୋଷଣାରେ ବ୍ୟସ୍ତ ରହୁଛନ୍ତି। ୨୦୦୮ ବୈଶ୍ୱିକ ମାନ୍ଦାବସ୍ଥା ଭାରତକୁ ପ୍ରଭାବିତ କରିପାରିନଥିଲା। ସେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ମନମୋହନ ସିଂହଙ୍କ ୟୁପିଏ  ସରକାର ଥିଲା। ହେଲେ ଏପରି ବିକଟ ପରିସ୍ଥିତିରୁ ଦେଶକୁ ରକ୍ଷା କରିବା ଲାଗି ଥିବା ବ୍ୟବସ୍ଥାକୁ ହିଁ ନରେନ୍ଦ୍ର ମୋଦିଙ୍କ ସରକାର ଧୂଳିସାତ କରିଦେଇଥିବା କହିଛନ୍ତି ଚିଦାମ୍ବରମ।

ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ସାମର୍ଥ୍ୟକୁ ସରକାରର ୮ ବର୍ଷରେ ମୋଦି ଦୁର୍ବଳତାରେ ପରିଣତ କରିଦେଇଛନ୍ତି। ତେବେ ଏଥିରୁ ବାହାରିବାକୁ ହେଲେ ସରକାରଙ୍କୁ କିଛି ପଦକ୍ଷେପ ପରାମର୍ଶ ଦେଇଛନ୍ତି ଚିଦାମ୍ବରମ। ଏଥିରେ ଚାଷୀଙ୍କୁ ସଶକ୍ତ କରିବା ସରକାରଙ୍କ ପ୍ରଥମ ପଦକ୍ଷେପ ହେବା ଦରକାର ବୋଲି କହିଛନ୍ତି। ଚାଷୀଙ୍କୁ ତାଙ୍କ ଉତ୍ପାଦନର ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ ପ୍ରଦାନ ସହ ବଜାରରେ ଚାଦିହା ବଢାଇବାକୁ ପଡିବ। ଏଥିଲାଗି ସରକାରଙ୍କୁ ନୂଆ ରୋଜଗାର ସୃଷ୍ଟି କରିବା ଏବେ ନିହାତି ଆବଶ୍ୟକ ବୋଲି ଚିଦାମ୍ବରମ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.