ଲକଡାଉନ୍ ବୃଦ୍ଧି ନିଷ୍ପତ୍ତିକୁ କଂଗ୍ରେସର ସ୍ୱାଗତ, କିନ୍ତୁ ମୋଦୀଙ୍କୁ ପଚାରିଲା ଏହି ସବୁ ପ୍ରଶ୍ନ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ, ୧୪|୦୪:  କଂଗ୍ରେସ ଦେଶରେ ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି । ତେବେ ନୂଆ ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇନଥିବାରୁ ଦଳ ମୋଦୀଙ୍କୁ ଟାର୍ଗେଟ୍ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଲକଡାଉନ୍ ବୃଦ୍ଧିର ଆବଶ୍ୟକତାକୁ ବୁଝିଥିବା ଓ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବା ଟ୍ୱିଟ୍ ଯୋଗେ ପ୍ରକାଶ କରିଛନ୍ତି ।

ତେବେ ଚିଦାମ୍ବରମ ଅଭିଯୋଗ କରିଛନ୍ତି ଯେ, ଗରିବଙ୍କ ପାଇଁ ଏହି ୪୦ ଦିନ ଅଧିକ ସମସ୍ୟା ସୃଷ୍ଟି କରିବ । ଟଙ୍କା ଓ ଖାଦ୍ୟ ସାମଗ୍ରୀ ଥିଲେ ମଧ୍ୟ ସରକାର ଏହାକୁ ଜାରି କରୁ ନାହାଁନ୍ତି । କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଗଭୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କିଛି ସ୍ୱତନ୍ତ୍ର ନଥିଲା ବୋଲି ଦାବି କରିଛନ୍ତି । ଆର୍ଥିକ ପ୍ୟାକେଜ, କୌଣସି ତଥ୍ୟ, କୌଣସି ଠୋସ୍ କଥା ନଥିବା ସେ ଅଭିଯୋଗ କରିଛନ୍ତି । ମଧ୍ୟମ ବର୍ଗ, ଗରିବ ଓ ବ୍ୟବସାୟୀଙ୍କ ପାଇଁ ମୋଦୀ କିଛି ଘୋଷଣା କରି ନାହାଁନ୍ତି ବୋଲି ସେ ସମାଲୋଚନା କରିଛନ୍ତି । ଲକଡାଉନ ଭଲ କିନ୍ତୁ ଜୀବିକାକୁ ନେଇ ନିଷ୍ପତ୍ତି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି କଂଗ୍ରେସ ନେତା ମନିଷ ତିଓ୍ୱାରୀ କହିଛନ୍ତି ଯେ, ଲକଡାଉନ୍ ବ୍ୟତୀତ ସରକାର ଆଉ କଣ କଣି କରିଛନ୍ତି ସେନେଇ କିଛି କହୁନାହାଁନ୍ତି । ଦେଶବାସୀଙ୍କ ପାଇଁ କଣ କରୁଛନ୍ତି ତାହା ଭାଷଣରେ ସ୍ଥାନ ଦେଉ ନାହାଁନ୍ତି । ଯେଉଁମାନେ ଚାଲିଚାଲି ଘରେ ପହଁଚିଥିଲେ ସେମାନଙ୍କ ପାଇଁ ୨୧ ଦିନିଆ ଲକଡାଉନ୍ ଅଭିଶାପ ଥିଲା । ସେମାନଙ୍କୁ କ୍ୟାମ୍ପରେ କ୍ୱାରେଣ୍ଟାଇନରେ ରଖାଗଲା । ସେମାନଙ୍କ ଭୋଜନକୁ ନେଇ କଣ ବ୍ୟବସ୍ଥା ହୋଇଛି ବୋଲି ସେ ସରକାରଙ୍କୁ ପଚାରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହି ମହାମାରୀ ପାଇଁ କୌଣସି ଔଷଧ ନାହିଁ । ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ । ୨୧ ଦିନରେ କେତେ ପରିମାଣରେ ଟେଷ୍ଟିଂ ହୋଇଛି, କ୍ଷମତା ସରକାର ବୃଦ୍ଧି କରିଛନ୍ତି ନା ନାହିଁ ସେନେଇ କିଛି କହିନାହାଁନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.