ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବହିଷ୍କାର ଦାବି ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ
11/06/2020 at 3:15 PM

ଝାରସୁଗୁଡା/ଭଦ୍ରକ/ମାଲକାନାଗିରି୧୧/୬: ଝାରସୁଗୁଡାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବହିଷ୍କାର ଦବି ନେଇ ଆନ୍ଦୋଳନ କରାଯାଇଛି|କରୋନା ପାଇଁ ସାରା ଦେଶବାସୀ ଲଢେଇ ଜାରୀ ରଖିଥିବା ବେଳେ ରାଜ୍ୟରେ ମାସ୍କ, ପି ପି ଇ କିଟ୍ ସହ ଅନ୍ୟାନ୍ୟ ମେସିନ୍ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି କରି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ ଅବମାନନା କରିଛନ୍ତି ବୋଲି ଅଭିଯୋଗ କରି ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦଳୀୟ କର୍ମୀ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହାସହ ତୁରନ୍ତ ଜଣେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବୀ କରିଛନ୍ତି |ଏହି ବିକ୍ଷୋଭରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ପ୍ରଦୀପ୍ତଆ ପାତ୍ର, ଗତ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ମହେନ୍ଦ୍ର ନାଏକ, ସହର କଂଗ୍ରେସ ସଭାପତି ଭାରତ ଅବସ୍ଥି ଓ ଅନ୍ୟ ଦଳୀୟ ନେତା ଅଂଶଗ୍ରହଣ କରିଥିଲେ। ସେହିପରି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି। ଏପଟେ ଭଦ୍ରକ ଜିଲ୍ଲା କଂଗ୍ରେସ ଆଜି ମାସ୍କ କିଣାରେ ମହାଦୁର୍ନୀତି ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଶୋଭାଯାତ୍ରା କରିଛି ।
ଭଦ୍ରକ କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ଦାସ ଓ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାସ୍କ ପରିଧାନ କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଶୋଭାଯାତ୍ରା ବେଳେ ଜନସାଧାରଣଙ୍କୁ ମାସ୍କ୍ ବଣ୍ଟନ କରିବା ସହ ଦୁର୍ନୀତି ନେଇ ଅବଗତ କରାଇଛନ୍ତି ।