କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ: ନୋଟ୍ବନ୍ଦୀ ପରି ବିନା ଯୋଜନାରେ ଲାଗୁ କଲ ଲକ୍ଡାଉନ୍, ରୋଜଗାର ହରାଇଲେ କୋଟି କୋଟି ଲୋକ
25/04/2020 at 3:44 PM

ନୂଆଦିଲ୍ଲୀ ୨୫।୦୪: କରୋନା ଭାଇରସ୍ ମୁକାବିଲା ଲାଗି ଜାରି ଲକ୍ଡାଉନ୍କୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛି। କଂଗ୍ରେସ୍ କହିଛି ଯେ, ବିନା ବୁଝାମଣା ଏବଂ ବିନା ଯୋଜନାରେ ଲକ୍ଡାଉନ୍ ପରି ବଡ ନିଷ୍ପତ୍ତି ନିଆଗଲା। ତରବରିଆ ଭାବେ ଏପରି ନିଷ୍ପତ୍ତି ନେବା କେବଳ ଅର୍ଥବ୍ୟବସ୍ଥା ପ୍ରଭାବିତ ହୁଏ ନାହିଁ ବରଂ ସବୁ କ୍ଷେତ୍ର ଏଥିରେ ଗୁରୁତର ଭାବେ ପ୍ରଭାବିତ ହୁଅନ୍ତି।
କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛି ଯେ, ନୋଟ୍ବନ୍ଦୀ ପରି ଲକ୍ଡାଉନ୍ରେ ଭାରତ ବହୁତ କ୍ଷତି ଘଟିଛି। ୧୪ କୋଟିରୁ ଅଧିକ ଲୋକ ନିଜର ରୋଜଗାର ହରାଇଛନ୍ତି। ଆଗାମୀ ସପ୍ତାହରେ ଲକ୍ଷାଧିକ ଚାକିରି ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। କଣ ବିଜେପି ସରକାର ପାଖରେ ସେମାନଙ୍କ ସହାୟତା ଲାଗି କିଛି ଯୋଜନା ରହିଛି କି ?
ଏହା ପୂର୍ବରୁ କଂଗ୍ରେସ ନେତା କପିଲ୍ ସିବଲ ଏକ ସାମ୍ବାଦିକ ସମ୍ମିଳନୀ କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କପିଲ୍ ସିବଲ କହିଛନ୍ତି କରୋନା ସଂକ୍ରମଣରୁ ମୁକ୍ତ ହେବା ପରେ ଏକ ନୂତନ ଭାରତ ଗଢିବାରେ ଅନେକ ଚ୍ୟାଲେଞ୍ଜ ରହିବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ପୁରୁଣା କଥା ଛାଡି କୋଭିଡ୍-୧୯ ପରବର୍ତ୍ତୀ ସ୍ଥିତିକୁ ଆଖି ଆଗରେ ରଖି ବିରୋଧୀ, ଶାସକ ସମସ୍ତେ ମିଶି ଦେଶକୁ ଆଗକୁ ବଢାଇବା କାମ କରନ୍ତୁ।
ସେ କହିଛନ୍ତି କରୋନା ସଂକ୍ରମଣର ମୁକାବିଲା ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଆଧାରରେ ଏକ ଜାତୀୟ ଯୋଜାନ ପ୍ରସ୍ତୁତ କରାଯାଉ। ସମୟ ଆସି ଯାଇଛି ସରକାରଙ୍କୁ ଲକ୍ଡାଉନ୍ ଉପରେ ବିଚାର କରିବା ଉଚିତ୍। ସରକାର ଲୋକଙ୍କୁ ଲକ୍ଡାଉନ୍ ଓ ଅର୍ଥନୀତିକୁ ଲକ୍ଆଉଟ୍ରେ ରଖି ପାରିବେ ନାହିଁ।