କଂଗ୍ରେସ : କବିସୂର୍ଯ୍ୟନଗର ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ, ଟିକେଟ ଘୋଷଣା ନହେଉଣୁ କୋଟପାଡ ବିଧାୟକ ଦାଖଲ କଲେ ପ୍ରାର୍ଥୀପତ୍ର, ନବୀନ ନନ୍ଦ ମିଶିଲେ ଦଳରେ, ବାମଦଳ ସହ ଆସନ ବୁଝାମଣା ଫାଇନାଲ
20/03/2019 at 4:40 PM

ଭୁବନେଶ୍ବର ୨୦|୩: ପ୍ରଥମ ପ୍ରର୍ଯ୍ୟାୟ ଟିକେଟ ତାଲିକାକୁ ନେଇ କଂଗ୍ରେସ ବିଦ୍ରୋହ । କବିସୂର୍ଯ୍ୟନଗର ପ୍ରାର୍ଥୀ ବିଜୟ କୁମାର ସାହୁ ବିରୋଧରେ ଧାରଣାରେ ବସିଛନ୍ତି ଜୋନ ସଭାପତି, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର। ଏପଟେ ଟିକେଟ ବିଳମ୍ବ ଯୋଗୁଁ କଂଗ୍ରେସର କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ନିର୍ଦ୍ଦଳୀୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହେଲେ ସଭାପତି କହିଛନ୍ତି ଦ୍ବିତୀୟ ପ୍ରର୍ଯ୍ୟାୟ ଟିକେଟ ଘୋଷଣା ଅପେକ୍ଷା କର । ଟିକେଟ ଘୋଷଣା ବେଳେ ଏମିତି ବିଦ୍ରୋହ ହୁଏ । ଏଭଳି ପରିସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ।

ଟିକେଟକୁ ନେଇ କଂଗ୍ରେସରେ ଟେନସନ। ବିଦ୍ରୋହ କଲେଣି ଆଶାୟୀ ପ୍ରାର୍ଥୀ । କଂଗ୍ରେସ ଭବନରେ ଅନଶନରେ ବସିଲେ କର୍ମୀ। ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା କାବିସୂର୍ଯ୍ୟନଗର ପାଇଁ ବିଜୟ କୁମାର ସାହୁ ନାମ ଘୋଷଣା ହୋଇଛି। ଯାହାକୁ ନେଇ ବିରୋଧ ହୋଇଛି। କବିସୂର୍ଯ୍ୟନଗରର ଜୋନ ସଭାପତି, ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବରମାନେ ଆସି କଂଗ୍ରେସ ଭବନରେ ଧାରଣରେ ବସିଛନ୍ତି । ବିଜୟ କୁମାର ସାହୁ କିଏ ଚିହ୍ନି ନାହାନ୍ତି । ବାହାର ଲୋକଙ୍କୁ ଟଙ୍କାନେଇ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରିଛନ୍ତି ଏମାନେ। ସୀତାରାମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

ଏପଟେ ଟିକେଟ ଘୋଷଣା କରିବାରେ ବିଳମ୍ବ ଯୋଗୁ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଣ ଚନ୍ଦ୍ରଶେଖର ପାର୍ଟି ନେତୃତ୍ବଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। କିନ୍ତୁ ସେ କହୁଛନ୍ତି ଦଳ ଟିକେଟ ଆସିବାକୁ ସେ ଅପେକ୍ଷା କରିଛନ୍ତି।
ଏପଟେ ବାମ ଦଳ ସହିତ କଂଗ୍ରେସ ଆସନ ବୁଝାମଣା ଚୂଡାନ୍ତ ହୋଇସାରିଛି। ସିପିଆଇକୁ ଆସିକା ଲୋକସଭା ସହିତ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା ଆସନ। ସିପିଏମକୁ ଭୁବନେଶ୍ବର ଲୋକସଭା ଆସନ ସମେତ ବଣାଇ, ରେମୁଣା ଏବଂ ନିଳଗିରି ବିଧାନସଭା ଆସନ। ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ସହିତ ମୋରଡା, ରାଇରଙ୍ଗପୁର, ବାଙ୍ଗିରିପୋଷି, ସାରସକଣା ବିଧାନସଭା ଆସନକୁ ବୁଝାମଣା ହୋଇଛି।

ଟିକେଟକୁ ନେଇ କଂଗ୍ରେସର ଅସନ୍ତୋଷ ଉଗ୍ରରୂପ ଧାରଣ କରୁଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ କଂଗ୍ରେସ ମିଶିଛନ୍ତି । ତାଙ୍କ ସହିତ ୫ଶହରୁ ଉର୍ଦ୍ଧ କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ଷେ ତଳେ ନବୀନ ନନ୍ଦଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ବୈଜୟନ୍ତଙ୍କ ପାଖଲୋକ ବୋଲି କୁହାଯାଉଥିବା ନବୀନ ନନ୍ଦ ପ୍ରଥମେ ବିଜେପିକୁ ଯିବେ ବୋଲିୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ଏବେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।