ଲୋକସଭା ନିର୍ବାଚନ ଲାଗି ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କଲା ଏଆଇସିସି, ଆଜି ପୁଣି ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ

Published By : Prameya-News7 Bureau | March 17, 2019 IST

ନୂଆଦିଲ୍ଲୀ ୧୭|୩ : ଲୋକସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଏଆଇସିସି । ୨୭ଟି ଆସନ ପାଇଁ ଜାରି ହୋଇଥିବା ଏହି ତାଲିକାରେ କେରଳର ୧୨ଟି, ଉତ୍ତର ପ୍ରଦେଶର ୭ଟି, ଛତିଶଗଡ଼ର ୫ଟି,   ଅରୁଣାଚଳ ପ୍ରଦେଶର ଦୁଇଟି ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଗୋଟିଏ  ଆସନ ରହିଛି । କେରଳ ରାଜଧାନୀ ଥିରୁଅନନ୍ତପୁରମ୍ ରୁ ବର୍ତ୍ତମାନର ସାଂସଦ ଶଶୀ ଥରୁର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ ଟୁକିଙ୍କୁ ଅରୁଣାଚଳ ପଶ୍ଚିମ  ଆସନରୁ ପ୍ରାର୍ଥୀ କରାଯାଇଛି ।

ଅନ୍ୟପଟେ ଆଜି ଦିଲ୍ଲୀରେ ପୁଣି ବସୁଛି କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ । ପୂର୍ବରୁ ପ୍ରାୟ ୨ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ସରିଥିବା ବେଳେ ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ନିମନ୍ତେ ବିଚାରବିମର୍ଶ ହେବାର ସମ୍ଭାବନା ରହିଛି । ଯେଉଁ ଆସନ ଗୁଡ଼ିକରେ ଏକାଧିକ ପ୍ରାର୍ଥୀ ରହିଛନ୍ତି, ସେଠାରେ ନାଁ ଫାଇନାଲ ହୋଇ କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ନିକଟକୁ ପଠାଯିବ ।

ସେପଟେ ଗତକାଲି ବସିଥିବା ସ୍କ୍ରିନିଂ କମିଟି ବୈଠକରେ ପ୍ରଥମ ଦୁଇଟି ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ସିଇସି ନିକଟକୁ ପଠାଯାଇଛି । ତେଣୁ ଆଜି ବା ଆସନ୍ତାକାଲି କମ୍ ସେ କମ୍ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.