ପଞ୍ଜାବ କଂଗ୍ରେସରେ ତୁଟୁନି କଳି : ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ଅସନ୍ତୁଷ୍ଟ ସୁନିଲ ଜାଖଡ

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ, ୨୩।୦୯ : ଚରଣଜୀତ ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲା ପରେ ବି ପଞ୍ଜାବରେ କଂଗ୍ରେସକୁ ନେଇ ସସପେନ୍ସ ଥମିବାର ନାଁ ନେଉନାହିଁ । ଅସନ୍ତୁଷ୍ଟ ଥିବା ଦଳର ପୂର୍ବତନ ଅଧ୍ୟକ୍ଷ ସୁନିଲ ଜାଖଡ ବୁଧବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ଏହାସହ ସେ ପ୍ରିୟଙ୍କା ଓ ରାହୁଲଙ୍କ ସହ ବିମାନରେ ଦିଲ୍ଲୀ ଆସିଥିଲେ ।  ପଞ୍ଜାବ ରାଜନୀତିକୁ ନେଇ ଅସନ୍ତୁଷ୍ଟ ଥିବା ଜାଖଡ ହଠାତ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।

କ୍ୟାପ୍ଟେନ୍ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଜାଖଡ ଭାବି ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ଥିଲେ । କିନ୍ତୁ ଚରଣଜୀତ ସିଂ ବାଜି ମାରିନେଇଥିଲେ । ଏପରିକି ନବଜ୍ୟୋତ ସିଂ ସିଦ୍ଧୁ ପିସିସି ସଭାପତି ହେବା ପୂର୍ବରୁ ଏହି ଦାୟିତ୍ୱରେ ଜାଖଡ ଥିଲେ ।

ସୂତ୍ରାନୁସାରେ, ରାହୁଲ ଓ ପ୍ରି.ୟଙ୍କା ଶିମଲାରୁ ଫେରିଥିଲେ । ବୁଧବାର ସେମାନେ ବିମାନରେ ଦିଲ୍ଲୀ ଯାଇଥିଲେ । ଜାଖଡ ମଧ୍ୟ ସେମାନଙ୍କ ସହ ଦିଲ୍ଲୀ ଯାତ୍ରା କରିଥିଲେ । ଜାଖଡଙ୍କୁ ଶାନ୍ତ କରିବାକୁ ଦିଲ୍ଲୀ ନିଆଯାଇଥିବା କୁହାଯାଉଛି । ତାଙ୍କୁ ଦଳରେ ଆଉ କିଛି ଗୁରୁ ଦାୟିତ୍ୱ ଦିଆଯାଇପାରେ ।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଜାଖଡଙ୍କୁ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ସେ ମନା କରିଦେଇଥିଲେ ।ଏପରିକି ଆଗାମୀ ନିର୍ବାଚନ ନବଜ୍ୟୋତ ସିଂ ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପ୍ରସଙ୍ଗକୁ ସେ ବିରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.