ଯୁବକଙ୍କୁ ଅପହରଣ ଓ ମରଣାନ୍ତକ ଆକ୍ରମଣ ଘଟଣା : ମାଷ୍ଟର ମାଇଣ୍ଡକୁ ଗିରଫ ଦାବିରେ ସଦର ଥାନା ଘେରାଉ କଲା କଂଗ୍ରେସ

Published By : Prameya-News7 Bureau | January 08, 2021 IST

ବଲାଙ୍ଗୀର ୮।୧: ବଲାଙ୍ଗୀର ସଦର ଥାନା ମାଙ୍କଡଚୂଆଁ ଗାଁରେ ଯୁବକଙ୍କୁ ଅପହରଣ ସହ ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ଘେରାଉ କରିଛି ଜିଲ୍ଲା କଂଗ୍ରେସ । ଯୁବକ ଶ୍ରୀକର ମିର୍ଧାଙ୍କୁ ମାଡ ମାରିଥିବ ଅଭିଯୁକ୍ତଙ୍କ ସହ ଘଟଣାର ମାଷ୍ଟର ମାଇଣ୍ଡ ସ୍ଥାନୀୟ ସରପଞ୍ଚଙ୍କ ଗିରଫ ଦାବି କରିଛି କଂଗ୍ରେସ । ଏନେଇ ଶୁକ୍ରବାର ସଦର ଥାନା ଘେରାଉ କରିବା ସହ ସମସ୍ତ ଅଭିଯୁକ୍ତକୁ ଗିରଫ ଦାବି କରି ଆନ୍ଦୋଳନ କରିଛି ।

ତେବେ ଗତ ୧ ତାରିଖରେ ଭୋଜି କରିବାକୁ ଯାଇଥିବା ଶ୍ରୀକରଙ୍କ ଉପରେ ହୋଇଥିଲା ଆକ୍ରମଣ । ଏନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପରେ ଏହାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ସମ୍ପୃକ୍ତି ଥିବା ସହ ନିଜେ ସରପଞ୍ଚ ଶ୍ରୀକରଙ୍କ ପରିବାର ଲୋକଙ୍କୁ ଅଭିଯୋଗ କରିବାରୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସେପଟେ ଏନେଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଓ ମାଷ୍ଟର ମାଇଣ୍ଡ ସରପଞ୍ଚ ରାଜେନ୍ଦ୍ର ହୋତାକୁ ଗିରଫ କରି ଛାଡି ଦେଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ତେବେ ତୁରନ୍ତ ଗିରଫ କରିବା ଦାବିରେ ଥାନା ଘେରାଉ କରିବା ସହ ଗିରଫ ନ କରିବା ପର୍ଯ୍ୟନ୍ତ ଥାନାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ । ସେପଟେ ଏନେଇ କୌଣସି ପ୍ରତିକ୍ରିଆ ରଖିବାକୁ ସିଧା ସିଧା ମନା କରିଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.