କୃଷି ଆଇନକୁ ବିରୋଧ ପ୍ରଦର୍ଶନବେଳେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଆହତ : କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ
15/01/2021 at 7:39 PM

ନୂଆଦିଲ୍ଲୀ ୧୫/୦୧ : ଦେଶରେ କୃଷି ଆଇନକୁ ନେଇ ତମ୍ବି ତୋଫାନ ଜାରି ରହିଛି । ବିରୋଧୀ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ନୂଆ କୃଷି ଆଇନକୁ ଯୋରଦାର ବିରୋଧ କରୁଛନ୍ତି । ଶୁକ୍ରବାର କଂଗ୍ରେସ ପକ୍ଷରୁ ସାରା ଦେଶରେ କୃଷି ଆଇନକୁ ବିରୋଧ କରି କିଷାନ ଅଧିକାର ମାର୍ଚ୍ଚ କରାଯିବା ସହ ରାଜଭବନ ଘେରାଉ କରାଯାଇଥିଲା ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଶୁକ୍ରବାର ଦିଲ୍ଲୀରେ ଏକ କୃଷକ ରାଲି କରାଯାଇଥିଲା । ଏହାରି ମଧ୍ୟରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତି ମଧ୍ୟରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ସହ କଂଗ୍ରେସ କର୍ମୀମାନେ ହାତାହାତି ହୋଇଯାଇଥିଲେ । ଏହି ଧସ୍ତାଧସ୍ତି ମଧ୍ୟରେ ଅଳକା ଲାମ୍ବାଙ୍କ ହାତ କଟିଯାଇଥିଲା । କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ରୋକିବା ପାଇଁ ପୋଲିସ ଉପ-ରାଜ୍ୟପାଳ ନିବାସର ଦେଢ କିଲୋମିଟର ଦୂରରୁ ୩ ଲେୟାର ବିଶିଷ୍ଟ ସୁରକ୍ଷା ବ୍ୟବସ୍ଥା କରିଥିଲା ।
କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ରାଲି ବାହାର କରିବା ସହ ନୂଆ କୃଷି ଆଇନକୁ ହଟାଇବାକୁ ନାରା ଦେଇଥିଲେ । ଏହାରି ମଧ୍ୟରେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ୩ ଲେୟାର ବିଶିଷ୍ଟ ସୁରକ୍ଷା ବ୍ୟବସ୍ଥା ମଧ୍ୟରୁ ପ୍ରଥମ ବ୍ୟାରିକେଡ୍କୁ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ କର୍ମୀ । ଏହି ଧସ୍ତାଧସ୍ତି ମଧ୍ୟରେ ତାର ଜାଲିରେ ଲାଗି କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କର ହାତ କଟିଯାଇଥିଲା ଏବଂ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ଥିଲେ । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ କହିଛନ୍ତି, ‘କଂଗ୍ରେସ କର୍ମୀମାନଙ୍କୁ ଦିଲ୍ଲୀ ପୋଲିସ ବ୍ୟାରିକେଡ୍ ଲଗାଇ ରୋକିଥିଲା । ଏହା ସହ ପୋଲିସ କଂଗ୍ରେସ କର୍ମୀମାନଙ୍କ ଉପରେ ଲାଠି ଚାର୍ଜ ମଧ୍ୟ କରିଛି । ପୋଲିସର ଏହି ଆକ୍ରମଣ ଫଳରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି’ ।