ନୋଟବନ୍ଦୀର ଦୁଇବର୍ଷ ପୂର୍ତ୍ତି: ଦେଶବ୍ୟାପୀ ଆଜି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ମୋଦିଙ୍କୁ ବିରୋଧୀଙ୍କ ସମାଲୋଚନା

Published By : Prameya-News7 Bureau | November 09, 2018 IST

ଦିଲ୍ଲୀ ୯/୧୧ : ନୋଟ ବନ୍ଦୀକୁ ଗତକାଲି ଦୁଇ ବର୍ଷ ପୂରିଯାଇଛି | ୨୦୧୬ ମସିହା ନଭେମ୍ବର ୮ ତାରିଖ ରାତି ୮ଟାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୧୦୦୦ ଟଙ୍କିଆ  ୫୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିଦେଇଥିଲେ | ଏହାକୁ ବିରୋଧକରି ଆଜି କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛି | ବିରୋଧୀ ଦଳ ନଟବନ୍ଦୀକୁ ସେତେବେଳେ ପ୍ରବଳ ବିରୋଧ କରିଥିଲେ ଏବଂ ଆଜି ମଧ୍ୟ କରୁଛନ୍ତି | ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବିରୋଧୀ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ଗତକାଲି ରାହୁଲ ଗାନ୍ଧୀ ନୋଟବନ୍ଦୀକୁ ଦୁର୍ନୀତିର ନାଁ ଦେଇଥିଲେ | ଏହାକୁ ନେଇ ସେ ଗତକାଲି ଟ୍ୱିଟ କରିଥିଲେ ଯେ, ନୋଟବନ୍ଦୀ ଏକ ସୁଚିନ୍ତିତ ଷଡଯନ୍ତ୍ର | ପ୍ରଧାନମନ୍ତ୍ରୀଙ୍କ ସୁଟବୁଟ ପିନ୍ଧା ବନ୍ଧୁମାନେ ନିଜର କଳାଧନକୁ ଧଳା କରିବାର ଏହା ଏକ ଜଘଣ୍ୟ ସ୍କିମ ବୋଲି ସେ କହିଥିଲେ | ରାହୁଲ କହିଥିଲେ ଯେ, ନୋଟବନ୍ଦୀ ଯୋଗୁଁ ୧୫ ଲକ୍ଷ ଲୋକ ଚାକିରୀ ହରାଇଥିଲେ  | ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ ଦୋହଲି ଯାଇଥିଲା | ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ, ଏଭଳି ନିଷ୍ପତ୍ତି ଦେଶର ବହୁ କ୍ଷତି କରିଛି ଏବଂ ଏହାର ପ୍ରଭାବ ଏବେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି | ନୋଟବନ୍ଦୀକୁ ୟା ଭିତରେ ଦୁଇ ବର୍ଷ ପୂରିଯାଇଛି | ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ, ନୋଟବନ୍ଦୀ କରିବ ଯୋଗୁଁ ଦେଶରେ କେତେ ଲୋକ ନିଜ ଆୟ ଠୁ ଅଧିକ ସମ୍ପତ୍ତି ଲୁଚେଇ ରଖିଛନ୍ତି ତାହା ସ୍ପଷ୍ଟ ହୋଇଥିଲା | ସୁଧରେ ଲଗାଉଥିବା ଲୋକଙ୍କୁ ଚିହ୍ନଟ କରାଯାଇପାରିଥିଲା | ୧୭.୪୨ ଲକ୍ଷ  ସନ୍ଦିଗ୍ଧ ଜମା ଖାତାର  ସୂଚନା ମିଳିଥିଲା | ନୋଟବନ୍ଦୀକୁ ବିରୋଧ କରି ଶିବସେନା ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି | ଶିବସେନା କଡା ଭାଷାରେ କହିଛି ନୋଟବନ୍ଦୀ ସମ୍ପୂର୍ଣ ରୂପେ ବିଫଳ ହୋଇଛି କାରଣ ନୋଟବନ୍ଦୀ ଯୋଗୁଁ ଲକ୍ଷ୍ମୀ ପୂଜା ହୋଇପାରିନଥିଲା | ଶିବସେନା ପ୍ରବକ୍ତା ମନୀଷା କାୟନ୍ଦେ କହିଛନ୍ତି ଯେ, ନୋଟବନ୍ଦୀ ସମୟରେ ଶୁଣିବାକୁ ମିଳିଥିଲା ଯେ, ଏହା ଦ୍ୱାରା ଆତଙ୍କବାଦୀଙ୍କ ପରିସମାପ୍ତି ଘଟିବ ଏବଂ ନକଲି ନୋଟ କାରବାର ବନ୍ଦ ହୋଇଯିବ | କିନ୍ତୁ ଏସବୁ କିଛି ବି ହେଲାନାହିଁ | ଆତଙ୍କବାଦୀ ସମସ୍ୟା ଏବଂ ନକଲି ନୋଟ ସମସ୍ୟା ଦେଶରେ ଏବେ ମଧ୍ୟ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.