ପୂର୍ବତନ କାଉନସିଲରଙ୍କ ଦଳତ୍ୟାଗକୁ ନିନ୍ଦା, ମୌଳିକ ସମସ୍ୟାର ସମାଧାନ ଦାବୀରେ ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ

Published By : Prameya-News7 Bureau | December 19, 2020 IST

ଦିଗପହଣ୍ଡି ୧୯|୧୨ : ଦଳରୁ ଇସ୍ତଫା ନେଇ ପୂର୍ବତନ କାଉନସିଲରଙ୍କୁ କଂଗ୍ରେସର ଟାର୍ଗେଟ । ଦିଗପହଣ୍ଡି ଏନ୍ଏସିର ୧ ନଂ ୱାର୍ଡର ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାସହ ବିଜେଡିର ସାମିଲ ହେବାକୁ ମଧ୍ୟ କଂଗ୍ରେସ ଦଳ ତିବ୍ର ନିନ୍ଦା କରିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି କଂଗ୍ରେସ ।

ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରେସ୍‌ମିଟ୍‌ରେ ଦଳ କହିଛି ଯେ, ହାତ ଗଣତି କିଛି ଅନାମଧେୟ ମହିଳାଙ୍କ ସମେତ ମୁଷ୍ଟିମେୟ ଲୋକଙ୍କୁ ପୂର୍ବତନ କାଉନସିଲର ବ୍ରହ୍ମପୁର ଡାକି ନେଇଥିଲେ , ଏବଂ ସେଠାରେ ସେମାନଙ୍କୁ କଂଗ୍ରେସ କର୍ମୀ ବୋଲି ମିଥ୍ୟା ପରିଚୟ ଦେଇ ବିଜେଡ଼ିରେ ସାମିଲ କରାଯାଇଛି । ବିଜେଡ଼ି ନେତୃବୃନ୍ଦ ଯେଉଁ ବାହାବା ମାରିଛନ୍ତି  ସେଥିରେ ସାମାନ୍ୟତମ ସତ୍ୟତା ନାହିଂ ବୋଲି କଂଗ୍ରେସ କହିଛି । ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ଵାମୀ ଙ୍କ ବ୍ୟତୀତ ଦିଗପହଣ୍ଡି ସହରର ଅନ୍ୟ କୌଣସି ନେତା କଂଗ୍ରେସ ଦଳରୁ ଇସ୍ତଫା ଦେଇ ନାହାନ୍ତି। ତେଣୁ ସେମାନେ ବିଜେଡ଼ି ରେ ସାମିଲ ହେଲେ କେମିତି ବୋଲି ଦଳ ପ୍ରଶ୍ନ କରିଛି ।

ଯଥେଷ୍ଟ ଯୋଗ୍ୟତା ନଥିଲେ ମଧ୍ୟ କଂଗ୍ରେସ ଦଳ  ପୂର୍ବତନ କାଉନସିଲରଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦିକା ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ପ୍ରଦାନ କରିଥିଲା। କିନ୍ତୁ ସେ  ତାଙ୍କ ବ୍ୟବସାୟିକ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ଆଜି ନୁହେଁ ବହୁ ଦିନ ହେଲା ସେ ବିଜେଡ଼ି ସହ ମଧୁର ସମ୍ପର୍କ ରଖି ଆସିଥିଲେ। ପୂର୍ବରୁ ଅନେକ ଥର ସେ ଓ ତାଙ୍କ ସ୍ଵାମୀ ଭୁବନେଶ୍ୱର ଯାଇ କଂଗ୍ରେସ ସଙ୍ଗଠନ କୁ ଧ୍ଵଂସ କରିବା ପାଇଁ ବହୁବାର ଉଦ୍ୟମ କରିଛନ୍ତି ।  ସେଥିରେ ବାରମ୍ବାର ଅସଫଳ ହେବା ପରେ କଂଗ୍ରେସ ଦଳରୁ ବହିଷ୍କୃତ ହେବା ପୂର୍ବରୁ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି। କାଉନସିଲର ରହିବା ସମୟରେ ସେ ଅନେକ ପ୍ରକାର ସାମଗ୍ରୀକୁ ବାଟମାରଣା କରିଛନ୍ତି । ତେଣୁ  ତାଙ୍କ ଇସ୍ତଫା ଏବଂ ବିଜେଡ଼ି ରେ ଯୋଗଦାନ କଂଗ୍ରେସ ଦଳ କିମ୍ବା ସଙ୍ଗଠନ ରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେ ଦଳ ତ୍ୟାଗ କରିବା ପରେ କଂଗ୍ରେସ ସଙ୍ଗଠନ ସମ୍ପୃକ୍ତ ୧ ନଂ ୱାର୍ଡ ରେ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରେସମିଟ୍‌ରେ କଂଗ୍ରେସ ନେତୃବୃନ୍ଦ କହିଛି ।

ଦିଗପହଣ୍ଡି ଅଞ୍ଚଳରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ କୌଣସି କଳକାରଖାନା ପ୍ରତିଷ୍ଠା ହୋଇନାହିଁ । ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ଦୁର୍ନୀତି କାର୍ଯ୍ୟ ଚାଲିଛି । ଏପରିକି  ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘବର୍ଷ ହେଲା ଡ଼ାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସହରର ସ୍ଥାୟୀ ବସଷ୍ଟାଣ୍ଡ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏହା ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.