କଂଗ୍ରେସରେ ମିଶିଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ମୁମ୍ବାଇ ଉତ୍ତର ଆସନରୁ ଲଢିପାରନ୍ତି ନିର୍ବାଚନ
27/03/2019 at 4:36 PM
ନୂଆଦିଲ୍ଲୀ ୨୭|୩ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉର୍ମିଳାଙ୍କୁ ଦଳରେ ସ୍ବାଗତ କରିଛନ୍ତି । ଉର୍ମିଳା ଦିଲ୍ଲୀରେ ରାହୁଲଙ୍କୁ ଭେଟି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଉର୍ମିଳାଙ୍କୁ କଂଗ୍ରେସ ମୁମ୍ବାଇରୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି କଂଗ୍ରେସ ଟିକେଟରେ ଉର୍ମିଳା ମୁମ୍ବାଇ ଉତ୍ତର ଆସନରୁ ନିର୍ବାଚନ ଲଢିବେ । ତେବେ ଏଯାବତ୍ ଏ ନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇ ନାହିଁ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପାର୍ଟି ସହ ଜଡିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଉର୍ମିଳା । ସେ କହିଛନ୍ତି ଏହି ଦିନଟି ତାଙ୍କ ପାଇଁ ବେଶ୍ ମହତ୍ବପୂର୍ଣ୍ଣ । କାରଣ ଆଜିଠାରୁ ସେ ସକ୍ରିୟ ରାଜନୀତିରେ ପାଦ ରଖିଛନ୍ତି । ପିଲାଦିନୁ ତାଙ୍କ ଚିନ୍ତାଧାରା ମହାତ୍ମା ଗାନ୍ଧି, ପଣ୍ଡିତ ଜବାହରଲାଲ ନେହରୁ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚିନ୍ତାଧାର ସହ ମିଶୁଥିବା ସେ କହିଛନ୍ତି । ତାଙ୍କ ବ୍ୟକ୍ତିତ୍ବ ସେମାନଙ୍କ ବିଚାର ସହ ମିଶୁଥିବା ହେତୁ ସେ ରାଜନୀତିରେ ଆସିବାକୁ ନିଷ୍ପତ୍ତି ନେଇଥିଲେ । ପାର୍ଟିରେ ସାମିଲ ହେବା ପରେ ହିଁ ସେ ମୋଦି ସରକାରଙ୍କୁ ଆଟାକ୍ କରିବା ଆରମ୍ଭ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ। ତେବେ ୨୦୦୪ରେ କଂଗ୍ରେସ ଟିକେଟରେ ଲଢି ଅଭିନେତା ଗୋବିନ୍ଦା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ। ରାମ ନାଇକ ଏବେ ଉତ୍ତର ପ୍ରଦେଶର ରାଜ୍ୟପାଳ ଅଛନ୍ତି। ୨୦୧୪ରେ ଭାଜପା ପ୍ରାର୍ଥୀ ଗୋପାଲ ସେଟ୍ଟୀ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ସଂଜୟ ନିରୂପମଙ୍କୁ ପରାସ୍ତ କରିଥିଲେ।ଭାଜପା ବର୍ତ୍ତମାନର ସାଂସଦ ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।