ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
22/01/2021 at 12:32 PM

ନୂଆଦିଲ୍ଲୀ, ୨୨/୦୧ : କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ମେ ମାସରେ ନିର୍ବାଚନ ହେବ । ଏନେଇ ଶୁକ୍ରବାର କଂଗ୍ରେସ ଓ୍ୱାର୍କିଂ କମିଟି ବା ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳ ସଙ୍ଗଠାନିକ ନିର୍ବାଚନ କରିବ । ଯେଉଁଥିରେ ଅଧ୍ୟକ୍ଷ ପଦର ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୁସିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସୋନିଆ କହିଥିଲେ ଯେ, କେନ୍ଦ୍ର ସରକାର ହେଉଛନ୍ତି ସମ୍ବେଦନହୀନ । ଅହଂକାରର ସମସ୍ତ ସୀମା ଟପିଛନ୍ତି ସରକାର । କୃଷି ଆଇନକୁ ସରକାର ତରବରିଆ ଭାବେ ପାରିତ କରିଥିଲେ ।
ସୋନିଆ ଆହୁରି କହିଥିଲେ ଯେ, ସରକାର କୃଷକଙ୍କୁ କୃଷି ଆଇନକୁ ଭଲ ଭାବେ ବୁଝିବା ପାଇଁ ସୁଯୋଗ ଦେଇନଥିଲେ । ଏବେ ସେଥିପାଇଁ ବୈଠକ ପରେ ବୈଠକ ଚାଲିଛି । କଂଗ୍ରେସ ପୂର୍ବରୁ ଏହି ତିନୋଟି ଆଇନକୁ ଖାରଜ କରିଦେଇଥିଲା । ଏହା ଏମଏସପି ଓ ଖାଦ୍ୟ ସୁରକ୍ଷା ପ୍ରତି ଅପମ୍ମାନ ସଦୃଶ ।
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଆହୁରି କହିଛନ୍ତି ଯେ, ଜାତୀୟ ସୁରକ୍ଷା ଏବେ ରାଷ୍ଟ୍ରୀୟ ପ୍ରସଙ୍ଗ । କିନ୍ତୁ ଅନେକ ଗୋପନୀୟ ତଥ୍ୟ ଲିକ୍ ହେଉଛି ବୋଲି ସୋନିଆ କହିଛନ୍ତି ।