ହିମାଚଳ ବିଧାନସଭା ଲାଗି ଲଜ୍ଜାଜନକ ଦିନ, ଗୃହ ଭିତରେ ଓ ବାହାରେ ରାଜ୍ୟପାଳଙ୍କୁ ଘେରିଲେ ବିରୋଧୀ, ୪ ବିଧାୟକ ନିଲମ୍ବିତ
26/02/2021 at 10:39 PM

ଶିମଲା ୨୬।୨: ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶୁକ୍ରବାର ଏକ ଲଜ୍ଜାଜନକ ଦିନ ଥିଲା। ବିଧାନସଭା ଅଧିବେଶନ ଆରମ୍ଭରେ ସଦନକୁ ସମ୍ବୋଧିତ କରିବାକୁ ଆସିଥିବା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟଙ୍କୁ ବିରୋଧୀ ଦଳ ବିଧାୟକମାନେ ଉଭୟ ଗୃହରେ ଓ ବାହାରେ ବିରୋଧ କରିବା ସହ ଧସ୍ତାଧସ୍ତି କରିଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ସଚିବାଳୟ କଂଗ୍ରେସ ବିଧାୟକଙ୍କ ବିରୋଧରେ ପୋଲିସ ଏତଲା କରିବାକୁ ବାଧ୍ୟ ହୋଇଛି।

ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ରାଜ୍ୟପାଳ ସଦନରେ ଅଭିଭାଷଣ ରଖୁଥିବା ବେଳେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ହଟ୍ଟଗୋଳ ଏତେମାତ୍ରାରେ ହୋଇଥିଲା ଯେ ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବାର କିଛି ସମୟ ପରେ ବନ୍ଦ କରିଦେବା ସହ ବାକି ଭାଷଣ ପଢାହୋଇଥିବା ବୁଝିବା ଲାଗି ଗୃହକୁ ନିବେଦନ କରି ଫେରିଯାଇଥିଲେ।

ତେବେ ଏତିକିରେ କଂଗ୍ରେସ ବିଧାୟକମାନେ ଶାନ୍ତ ପଡିନଥିଲେ। କଂଗ୍ରେସ ବିଧାୟକଦଳ ନେତା ମୁକେଶ ଅଗ୍ନିହୋତ୍ରୀ ଅଭିଭାଷଣ ପୁରା ପଢାଯାଇ ନଥିବାରୁ ଏହା ମିଥ୍ୟାର ପାରବାର ବୋଲି କହିଥିଲେ। ଏଥିରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ୧ ମାର୍ଚ୍ଚ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ହେବାରୁ ବିରୋଧୀ ଦଳ ବିଧାୟକମାନେ ଏକଜୁଟ ହୋଇ ବିଧାନସଭା କାଉନସିଲ ଚାମ୍ବର ଗେଟ୍ ବାହାରେ ହଲାପଟା କରିଥିଲେ।

ଏଥିରେ ମାର୍ଶଲ କୌଣସି ପ୍ରକାରେ ରାଜ୍ୟପାଳଙ୍କୁ ବିଧାନସଭାରୁ ବାହାର କରି ତାଙ୍କ କାରରେ ବସାଇ ଦେଇଥିଲେ। ହେଲେ ବିରୋଧୀ ଦଳ ବିଧାୟକମାନେ ତାଙ୍କ କାରକୁ ଘେରି ନାରାବାଜି କରିବାରେ ଲାଗିଯାଇଥିଲେ। ରାଜ୍ୟପାଳଙ୍କୁ ସୁରୁଖୁରୁରେ ରାଜଭବନ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ, ବାଚସ୍ପଚି ଓ ଶାସକ ଦଳର ଅନ୍ୟ ସଦସ୍ୟମାନେ ବିରୋଧୀଙ୍କ ନିକଟରେ ଅନୁନୟ ବିନତି କରିଥିଲେ ହେଲେ ବିରୋଧୀ ନିଜ ଜିଦରେ ଅଟଳ ଥିବା ବେଳେ କେହିଜଣେ ବିଧାୟକ ରାଜ୍ୟପାଳଙ୍କ କାର ବନେଟକୁ ହାତରେ ବାଡେଇ ଦେଇଥିଲେ।

ପରିସ୍ଥିତି ଏପରି ହୋଇଥିଲା ଯେ ରାଜ୍ୟପାଳଙ୍କୁ ବିରୋଧୀ ଦଳ ବିଧାୟକଙ୍କ କବଳରୁ ମୁକୁଳାଇବା ଲାଗି ପୋଲିସ ଡାକିବାକୁ ପଡିଥିଲା। ରାଜ୍ୟପାଳ କୌଣସି ପ୍ରକାରେ ବିଧାନସଭାରୁ ବାହାରି ପଳାଇଥିଲେ। ଏହା ପରେ ସରକାରୀ ଦଳ ଅଚାନାକ ବିଧାନସଭା ଡକାଇ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଭରଦ୍ୱାଜ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଘଟଣାକ୍ରମ ଉପସ୍ଥାପନ କରିବା ସହ ବିଧାକୟଙ୍କ ନିଲମ୍ବନ ଲାଗି ପ୍ରସ୍ତାବ ରଖି ଦେଇଥିଲେ । ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ ବିଧାୟକ ସୁନ୍ଦର ସିଂ ଠାକୁର, ବିନୟ କୁମାର, ହର୍ଷବର୍ଦ୍ଧନ ଚୌହାନ ଓ ସତପାଲ ସିଂ ରାୟଜାଦାଙ୍କୁ ସମ୍ପୂର୍ଣ୍ଣ ଅଧିବେଶନ କାଳ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ବିଧାନସଭାରୁ ନିଲମ୍ବିତ କରିଛନ୍ତି।