କଂଗ୍ରେସ ବିଧାୟକ ଆଦିତି ସିଂହଙ୍କ ବଡ ବୟାନ, କହିଲେ- ମୋର ରାଜନୈତିକ ଗୁରୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | August 10, 2020 IST

ରାୟବରେଲୀ ୧୦।୦୮: କଂଗ୍ରେସ ବିଧାୟକ ଆଦିତି ସିଂହ ପୁଣି ଥରେ ପାର୍ଟିଠୁ ଭିନ୍ନ ମତ ଦେଇଛନ୍ତି। ସୋମବାର ଆଦିତି ସିଂହ କହିଛନ୍ତି ରାଜନୀତିରେ ମୋର ରାଜନୈତିକ ଗୁରୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯାହାଙ୍କ କାରଣରୁ ମୁଁ ପ୍ରତ୍ୟେକ ଲଢେଇ ଲଢୁଛି। ଉଲ୍ଲେଖନୀୟ ରାୟବରେଲୀର ସିଭିଲ୍ ଲାଇନ୍‌ ଛକ ସ୍ଥିତ କମଲା ନେହେରୁ ଟ୍ରଷ୍ଟର ଜମି ଉପରେ ଦଶନ୍ଧି ଧରି ଦୋକାନ ରହି ଆସିଛି ଏହାକୁ ହଟାଇବା ପାଇଁ ନ୍ୟାୟାଳୟ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। କୋର୍ଟର ଆଦେଶକ୍ରମେ ସେଠାରୁ ଦୋକାନ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଦ୍ଵାରା ନୋଟିସ୍‌ ଦିଆଯିବା ପରେ ଆଜି ସେହି ଦୋକାନୀଙ୍କ ପକ୍ଷରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି ସଦର ବିଧାୟିକା ଆଦିତି ସିଂହ।

ଏହି ସମୟରେ ଆଦିତି ସିଂହଙ୍କ ସମର୍ଥକ ଯୋଗୀ ଆଦିତ୍ୟନାଥ ଜିନ୍ଦାବାଦ ନାରା ଦେଇଥିଲେ। ସମର୍ଥକଙ୍କ ଉତ୍ସାହ ସହିତ ଆଦିତି ସିଂହ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋର ରାଜନୈତିକ ଗୁରୁ। ଏହି ମାମଲାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିବି।

ଆଦିତି କହିଛନ୍ତି ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଭରସା ଦେଇଛନ୍ତି। ଯୋଗୀ ଜୀଙ୍କ ସରକାରରେ କାହାରି ଉପରେ କୌଣସି ଅତ୍ୟାଚାର ହେବ ନାହିଁ। ପ୍ରଶାସନ ଏହି ମାମଲାରେ ଗରିବଙ୍କ କଥା ଶୁଣିନାହାନ୍ତି ଏବଂ ସେମାନଙ୍କୁ ଶୁଣାଣିର ସୁଯୋଗ ମଧ୍ୟ ଦେଇ ନାହାନ୍ତି। ସେ କହିଛନ୍ତି ମୋ ପିତା ସର୍ବଦା ଗରିବଙ୍କ ପାଇଁ ଲଢେଇ କରି ଆସିଛନ୍ତି ଏବଂ ସେ ଏବେ ତାଙ୍କ ମାର୍ଗରେ ଚାଲୁଛନ୍ତି। ସେ କମଲା ନେହେରୁ ଟ୍ରଷ୍ଟକୁ ଟାର୍ଗେଟ୍ କରି କହିଛନ୍ତି ଯେବେ ଏହି ଜମି ଦଶନ୍ଧି ଦଶନ୍ଧି ଧରି ଦୋକାନୀଙ୍କ ପାଖରେ ରହିଛି ତେବେ ଟ୍ରଷ୍ଟ ପକ୍ଷରେ ଜମି କେମିତି ଚାଲିଯିବ।

ସୂଚନାଯୋଗ୍ୟ, ଗତ ଦିନରେ କଂଗ୍ରେସ ଦଳ ବିରୋଧୀ ଗତିବିଧି କାର୍ଯ୍ୟ ପାଇଁ  ଆଦିତି ସିଂହଙ୍କୁ ମହିଳା ଶାଖାର ମହାସଚିବ ପଦରୁ ନିଲମ୍ବନ କରିଥିଲା। ଏହା ପରେ ଆଦିତି ସିଂହ ନିଜର ଟ୍ଵିଟ୍‌ର ପେଜରୁ ଭାରତୀୟ  ଜାତୀୟ କଂଗ୍ରେସ(ଆଇଏନସି) ହଟାଇ ଦେଇଥିଲେ। ଏହା ପରେ ଆଦିତି କଂଗ୍ରେସର ସମସ୍ତ ହ୍ଵାଟ୍ସଆପ୍ ଗ୍ରୁପରୁ ନିଜକୁ  ହଟାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.