ପୁଡୁଚେରୀ ଗଲାପରେ ଦକ୍ଷିଣ ଭାରତରେ କଂଗ୍ରେସର ହାତ ଖାଲି: ୩ ରାଜ୍ୟରେ ନିଜ ବଳରେ ସରକାର, ଅନ୍ୟ ୨ରେ ମେଣ୍ଟ ସରକାର
22/02/2021 at 4:40 PM

ନୂଆଦିଲ୍ଲୀ ୨୨/୦୨: କଂଗ୍ରେସ ସମୀକରଣ ବିଗାଡ଼ି ଦେଇଛି ପୁଡୁଚେରୀ ରାଜନୈତିକ ସଙ୍କଟ। ମୁଖ୍ୟମନ୍ତ୍ରୀ ବି. ନରାୟଣସାମୀଙ୍କ ନେତୃତ୍ବାଧୀନ ସରକାର ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବା ପରେ ଦକ୍ଷିଣ ରାଜନୀତିରୁ ବେଦଖଲ ହୋଇଛି କଂଗ୍ରେସ। କେନ୍ଦ୍ରରେ ମୋଦୀ ସରକାରଙ୍କ ଆସିବା ପରେ କଂଗ୍ରେସର ‘ଅଚ୍ଛେ ଦିନ’ ଶେଷ ହୋଇଥିବା ମନେ ହେଉଛି। ଦିନେ ଦକ୍ଷିଣ ଭାରତରେ ମଜଭୁତ ଥିବା କଂଗ୍ରେସ ପାର୍ଟି ହାତରୁ ଶେଷ ରାଜ୍ୟ ପୁଡୁଚେରୀ ମଧ୍ୟ ଖସିଯାଇଛି।
କର୍ଣ୍ଣାଟକ ପରେ ଦକ୍ଷିଣ ଭାରତରେ ପୁଡୁଚେରୀରେ କଂଗ୍ରେସ ସରକାର କରିଥିଲା। କିନ୍ତୁ ଏବେ ସେଠାରୁ ଦଳ ବିଦାୟ ନେଇଛି। କର୍ଣ୍ଣାଟକରେ କଂଗ୍ରେସ, ଜେଡିଏସ ସହ ମିଶି କେତେ ଦିନ ଶାସନ କରିଥିଲା କିନ୍ତୁ ବିଜେପି ପୁଣି ସତ୍ତାକୁ ଫେରିଆସିଥିଲା। ଏହା ପରେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ମଧ୍ୟରେ ଦଳ ପାଖରେ କେବଳ ପୁଡୁଚେରୀ ଥିଲା। କିନ୍ତୁ ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀ ମଧ୍ୟ ଦଳ ହାତରୁ ଯାଇଛି। ଏବେ ଦକ୍ଷିଣ ଭାରତରେ କଂଗ୍ରେସର ମଜଭୁତ କିଲ୍ଲା ଭୁଶୁଡ଼ି ପଡ଼ିଛି ବୋଲି କୁହାଯାଇପାରେ।
୨୦୧୪ ପରେ ଗୋଟିଏ ପଟେ ବିଜେପି ମଜଭୁତ ହୋଇଚାଲିଥିବା ବେଳେ ଦୁର୍ବଳରୁ ଦୁର୍ବଳତର ହେଉଛି କଂଗ୍ରେସ। କଂଗ୍ରେସ ଶାସିତ ରାଜ୍ୟ କହିଲେ ଏବେ କେବଳ ୫ ରାଜ୍ୟରେ କଂଗ୍ରେସ ସରକାର ରହିଛି। ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କଂଗ୍ରେସ ଶାସନରେ ରହିଛି। କିନ୍ତୁ ଏଗୁଡ଼ିକ ମଧ୍ୟରୁ ୩ ରାଜ୍ୟ ରାଜସ୍ଥାନ, ପଞ୍ଜାବ ଏବଂ ଛତିଶଗଡ଼ରେ କେବଳ କଂଗ୍ରେସ ସରକାର ରହିଥିବା ବେଳେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କଂଗ୍ରେସ କେବଳ ଏକ ସହଯୋଗୀ ଦଳର ଭୂମିକା ନିଭାଉଛି। କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ପରେ କଂଗ୍ରେସକୁ ତୃତୀୟ ଝଟକା ମିଳିଛି। ଉପନିର୍ବଚନରେ କର୍ଣ୍ଣାଟକକୁ କବଜା କରିଥିଲା ବିଜେପି। ସେପଟେ ୧୫ ବର୍ଷ ପରେ ବଡ଼ କଷ୍ଟରେ ମଧ୍ୟପ୍ରଦେଶକୁ କଂଗ୍ରେସ ଫେରିଥିଲା କିନ୍ତୁ ୧୫ ମାସ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ସରକାର ହାତରୁ ଗଲା।
ଚଳିତ ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପଡୁଚେରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଉପରେ କଂଗ୍ରେସର ନଜର ରହିଛି। ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ତାମିଲାନାଡୁରେ କଂଗ୍ରେସ ଡିଏମକେ ସହ ମଇଦାନକୁ ଓହ୍ଲାଇବ। କେରଳରେ କଂଗ୍ରେସ ସରକାର ଗଢ଼ିବା ସହଜ ହେବ ନାହିଁ କାରଣ ସେଠାରେ ଲେଫ୍ଟର କବଜା ରହିଛି। ଆସାମରେ ବିଜେପି ସରକାର ରହିଛି। ତେଣୁ ଏଠାରୁ ବିଜୟୀ ହେବାକୁ ହେଲେ କଂଗ୍ରେସକୁ କରିସ୍ମା ଦେଖାଇବାକୁ ପଡ଼ିବ।