ଗୁଜରାଟ ନଗରପାଳିକା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ : ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ବିଧାୟକ ଦଳ ନେତା
2/03/2021 at 7:08 PM

ଅମମ୍ମଦାବାଦ ୦୨/୦୩ : ଗୁଜରାଟରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ନଗର ନିଗମ ନିର୍ବାଚନରେ ଅମାନତ ହରାଇବା ପରେ ପଞ୍ଚାୟତ ସ୍ତରରେ ହୋଇଥିବା ନିର୍ବାଚନରେ ମଧ୍ୟ ଲଜ୍ଜାଜନକ ପରାଜୟ ବରଣ କରିଛି କଂଗ୍ରେସ । ତେବେ ଗୁଜରାଟରେ ବାରମ୍ବାର ଏଭଳି ପ୍ରଦର୍ଶନ ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାଓ୍ବଡା ଏବଂ ବିଧାୟକ ଦଳ ନେତା ପରେଶ ଧନାନୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାଓ୍ବଡା EVMରେ ତ୍ରୁଟି ଦର୍ଶାଇଛନ୍ତି । ଏହା ସହିତ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ପରେଶ ଧନାନୀ ମଧ୍ୟ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷାକୁ ପଠାଇଦେଇଛନ୍ତି ।
ନଗର ନିଗର ନିର୍ବାଚନ ପରେ ମଙ୍ଗଳବାର ପ୍ରକାଶ ପାଇଥିବା ନଗରପାଳିକା, ଜିଲ୍ଲା ପଞ୍ଚାୟତ ଏବଂ ତାଲୁକ୍ ପଞ୍ଚାୟତ ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ନୈରାଶ୍ୟଜନକ ରହିଛି । ରାଜ୍ୟର ସମସ୍ତ ଜିଲ୍ଲା ପଞ୍ଚାୟତରେ କଂଗ୍ରେସ ପରାଜୟ ବରଣ କରିଛି । ୨୦୧୫ ନିର୍ବାଚନରେ ମୋଟ ୩୧ ସିଟ୍ରୁ ୨୨ଟି ସିଟ୍ରେ ବିଜୟ ଲାଭ କରିଥିବା କଂଗ୍ରେସ ଚଳିତ ଥର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇପାରିନାହିଁ।
ସୂଚନାଯୋଗ୍ୟ, ଗୁଜରାଟର ୮୧ ନଗରପାଳିକା, ୩୧ ଜିଲ୍ଲା ପଞ୍ଚାୟତ ଏବଂ ୨୩୧ଟି ତାଲୁକ୍ ପଞ୍ଚାୟତ ପାଇଁ ଗତ ରବିବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ ହୋଇଥିଲା ।