ମତଭେଦରେ ପଡିଲା ଯବନିକା ! ଦୀର୍ଘ ଦିନ ପରେ ଏକଜୁଟ୍ ନଜର ଆସିଲା କଂଗ୍ରେସ, ହେଲିକପ୍ଟରରେ ଏକାଠି ଯାତ୍ରା କଲେ ଗେହଲଟ୍ ଓ ପାଇଲଟ୍
27/02/2021 at 5:19 PM

ଜୟପୁର ୨୭।୦୨: ଗତ କିଛି ସମୟ ପୂର୍ବେ ଦଳୀୟ କନ୍ଦଳ ନେଇ ଚର୍ଚ୍ଚାରେ ରହିଥିବା ରାଜସ୍ଥାନ କଂଗ୍ରେସ ଶନିବାର ଏକଜୁଟ୍ ନଜର ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିଛି ମାସ ପୂର୍ବେ ତାଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ସହ ଗୋଟିଏ ହେଲିକପ୍ଟରରେ ସଭାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଇ ନେତା କଂଗ୍ରେସ ଦ୍ଵାରା ଆୟୋଜିତ କୃଷକ ପଞ୍ଚାୟତକୁ ସମ୍ବୋଧିତ କରିବାକୁ ଏକାଠି ପହଞ୍ଚିଥିଲେ।
କେନ୍ଦ୍ରୀୟ କୃଷି ଆଇନ୍ ବିରୋଧରେ ଜାରି ଆନ୍ଦୋଳନର ସମର୍ଥନରେ କଂଗ୍ରେସ ଶନିବାର ପିଲାନିଅ ଢାଣି, ଧନେରୁ ଡୁଙ୍ଗରୁଗଢ ଓ ମାତୃକୁଣ୍ଡିଆରେ କୃଷକ ପଞ୍ଚାୟତ ଆୟୋଜନ କରିଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜୟପୁରରୁ ହେଲିକପ୍ଟରରେ ଯାତ୍ରା କରିଥିଲେ। ତାଙ୍କ ସହିତ କଂଗ୍ରେସର ପ୍ରଦେଶ ସଭାପତି ଗୋବିନ୍ଦ ସିଂହ ଡୋଟାସରା ଓ ରାଜସ୍ଥାନ ପ୍ରଭାରୀ ଅଜୟ ମାକନଙ୍କ ବ୍ୟତୀତ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ହେଲିକପ୍ଟରରେ ବସିଥିଲେ। ମାକନ ଓ ଡୋଟାସରା ଏହାର ଫଟୋ ଟ୍ଵିଟ୍ରେ ଛାଡିଛନ୍ତି। ଫଟୋରେ ଚାରି ନେତା ହସୁଥିବା ଦେଖିବାକୁ ମିଳିଛି।
ଏହି ଫଟୋ କଂଗ୍ରେସର କିଷାନ ପଞ୍ଚାୟତ ପୂର୍ବରୁ ଭାଇରାଲ ହୋଇଛି। ଲୋକେ ଏହାକୁ ନେଇ ଅନେକ ପ୍ରକାରର ଟିପ୍ପଣୀ କରିଛନ୍ତି। ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ ଫଟୋ ସେୟାର କରି ଟ୍ଵିଟ୍ କରିଛନ୍ତି ଯେ, ଗେହଲଟ୍ ହସୁଛନ୍ତି, କଣ ପାଇଲଟ୍ ମନର ଦୁଃଖ ଲୁଚାଉଛନ୍ତି। ଏହି ସ୍ମିତହାସ୍ୟତ ମୂଲ୍ୟ ବିଗତ ଦୁଇ ବର୍ଷ ଧରି ରାଜସ୍ଥାନର ଜନତାଙ୍କୁ ଦେବାକୁ ପଡୁଛି ବୋଲି ସତୀଶ କହିଛନ୍ତି।
ପାର୍ଟି ସୂତ୍ର ଅନୁଯାୟୀ, ପ୍ରାୟ ଦେଢ ବର୍ଷ ପୂର୍ବେ ପ୍ରଥମ ଥର ଗେହଲଟ୍ ଓ ପାଇଲଟ୍ ଏକାଠି ଯାତ୍ରା କରିଛନ୍ତି। ହେଲେ ପାର୍ଟି ନେତା ଏହାକୁ ସେତେଟା ଗୁରୁତ୍ଵ ନଦେଇ କହିଛନ୍ତି ଯେ, ସଂପ୍ରତି ସବୁଠୁ ବଡ କଥା କୃଷକଙ୍କ ସ୍ଵରକୁ ଆହୁରି ଶାଣିତ ଏବଂ ମଜବୁତ କରିବା ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ରଘୁ ଶର୍ମା କହିଛନ୍ତି, ପୂରା କଂଗ୍ରେସ ପାର୍ଟି ଆମର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଏକଜୁଟ୍ ଅଛନ୍ତି।