ଗୃହମନ୍ତ୍ରୀଙ୍କଠାରେ କଂଗ୍ରେସ ନେତାଙ୍କ ଦାବି- ଗିରଫ ପ୍ରଦର୍ଶନକାରୀ କୃଷକଙ୍କ ତଥ୍ୟ ସାର୍ବଜନୀନ କରାଯାଉ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଳୀ ୦୧/୦୨:  ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଚାଷୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ କଂଗ୍ରେସ ନେତା ଦାବି କରିଛନ୍ତି। ସୋମାବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ବରିଷ୍ଠ ନେତା ମନୀଷ ତିଓ୍ବାରୀ ଏବଂ ପଞ୍ଜାବାର ଅନେକ ମନ୍ତ୍ରୀ ଭେଟି ଏହି ଦାବି କରିଥିବା ଜଣାପଡ଼ିଛି। ମନୀଷ ତିଓ୍ବାରୀଙ୍କ ଅନୁଯାୟୀ, ତାଙ୍କ ସହିତ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ସୁଖଜିନ୍ଦର ରାନ୍ଧଓ୍ବା, ମୁଖ୍ୟ ସରକାରିଆ ଏବଂ ରାଜକୁମାର ଛବେଓ୍ବାଲ ବଜେଟ୍‌  ଉପସ୍ଥାପନ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି।

ସେ ଟ୍ବିଟ୍‌ରରେ ଲେଖିଛନ୍ତି, ‘ବଜେଟ୍‌ ପରେ ଅମିତ ଶାହାଙ୍କୁ ଭେଟିଲି। ପ୍ରଦର୍ଶନ ସମୟରେ  ଅଟକ ଏବଂ ଗିରଫ ହୋଇଥିବା ଚାଷୀଙ୍କ ସୂଚୀ ସାର୍ବଜନୀନ କରାଯାଉ ବୋଲି ଦାବି କଲି। କାରଣ ଏହା ଦ୍ବାରା ଗିରଫ ହୋଇଥିବା ଚାଷୀଙ୍କ ପକ୍ଷରୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ। ’ ତେବେ ଏହି ସୂଚୀ ଦିଲ୍ଳୀ ପୋଲିସ ପକ୍ଷରୁ ଓ୍ବେବ୍‌ ସାଇଟ୍‌ରେ ଦିଆଯାଉଛି।

ଅନ୍ୟପଟେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ୩ ଫେବୃଆରୀରେ କଂଗ୍ରେସ ଦଳ ବୈଠକ ଡାକିଛନ୍ତି। ଏନେଇ ରବିବାର ହୁଡ୍ଡା ଘୋଷଣା କରିଥିବା ବେଳେ ବୈଠକରେ କୃଷକ ଏବଂ ରାଜ୍ୟ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ବିଧାନସଭାର ଆଗାମୀ ଅଧିବେଶନରେ ଭାଜନା-ଜଜପା ମହାମେଣ୍ଟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ହୁଡ୍ଡା କହିଛନ୍ତି । କାରଣ ସରକାର ଲୋକଙ୍କ ସହିତ କିଛି ବିଧାୟକଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୋଲି ସେ କହିଛନ୍ତି।

କଂଗ୍ରେସ  ଦଳର ପୂର୍ବ ବୈଠକ ଡିସେମ୍ବରରେ ହୋଇଥିଲା। ଯେଉଁଥରେ ନୂଆ କୃଷି ନିୟମ ବିରୋଧରେ କୃଷକଙ୍କ ସମର୍ଥନରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ସମୟରେ ବିରୋଧୀ ଦଳ ନେତା ହୁଡ୍ଡା କହିଥିଲେ, ‘ଭାଜପା-ଜଜପା  ସରକାରଙ୍କ ଉପରୁ ଲୋକଙ୍କ ଭରସା ଉଠିଯାଇଛି। ଏଥିପାଇଁ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ କଂଗ୍ରେସ ଦ୍ବାରା ଅବିଶ୍ବାସ ପ୍ରସ୍ତାବ ଅଣାଯିବା ନିହାତି ଜରୁରୀ ହୋଇପଡ଼ିଛି।’

ଅନାସ୍ଥା ପ୍ରସ୍ତାବ ଆସିବା ପରେ ଲୋକଙ୍କ ଜଣାପଡ଼ିଯିବ କେଉଁ ବିଧାୟକ ସରକାରଙ୍କ ସହ ଅଛନ୍ତି ଏବଂ କିଏ କୃଷକଙ୍କ ସହ। କଂଗ୍ରେସ ଦଳ ବୈଠକରେ କୃଷକଙ୍କ ଦାବି ଉପରେ ଆଲୋଚନା କରାଯିବ। ସେମାନଙ୍କ ଦାବିକୁ ଆହୁରି ଆଗକୁ ନେବାକୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଭୁପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.