ନବୀନଙ୍କ ଫିଟନେସ୍ ଭିଡିଓକୁ ଚ୍ୟାଲେଞ୍ଜ କଲେ ସୁର ରାଉତରାୟ, କହିଲେ 'ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ମୋ ସହିତ ଦୌଡି ଦେଖାଅ'

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତକାଲି ଭାଇରାଲ ହୋଇଥିବା ଫିଟନେସ୍ ଭିଡିଓ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏତିକିବେଳେ ନବୀନଙ୍କୁ ତୀର ମାରିଛନ୍ତି କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଜଟଣୀ ବିଧାନସଭା ପ୍ରାର୍ଥୀ ସୁରେଶ କୁମାର ରାଉତରାୟ । ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚିତ ସୁର ରାଉତରାୟ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନଙ୍କ ଏହି ଫିଟନେସ୍ ଭିଡିଓ କେବଳ ଆକ୍ଟିଂ ଓ ଆକ୍ସନ । ସେ କହିଛନ୍ତି ଯେ, ନବୀନ ତାଙ୍କଠୁ ବୟସରେ ସାନ ହେବେ । ତଥାପି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ନବୀନ ଯଦି ତାଙ୍କ ସହିତ ଦୌଡି ଜିତି ଯାଆନ୍ତି ତାହାଲେ ସେ ନବୀନଙ୍କୁ ଅଭିନନ୍ଦନ ଜଣାଇବେ ।

ସୂଚନାଯୋଗ୍ୟ ଯେ, ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏବେ ୭୫ବର୍ଷ ବୟସରେ ପଦାର୍ପଣ କରିଥିବାବେଳେ ନବୀନଙ୍କ ବୟସ ୭୨ବର୍ଷ । ରାଜନୀତି ମଇଦାନରେ ବର୍ଷିଆନ୍ ନେତା ସୁର ରାଉତରାୟଙ୍କୁ  କାହିଁ କେତେ ପଛରେ ଛାଡିଥିବା ତାଙ୍କଠୁ କନିଷ୍ଠ ନବୀନଙ୍କୁ ସୁର ରାଉତରାୟଙ୍କ ଏଭଳି ଚ୍ୟାଲେଞ୍ଜ ନେଇ ରାଜ୍ୟ ରାଜନୀତିରେ ରୋଚକ ବାତାବରଣ ସୃଷ୍ଟି ହୋଇଛି ।

ଗତକାଲି ନବୀନଙ୍କ ୨ ମିନିଟ୍ ୪୨ସେକେଣ୍ଡର ଏହି ଫିଟନେସ୍ ଭିଡିଓ ଭାଇରାଲ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଜଗିଂ କରିବା ସହ ବିଭିନ୍ନ ବ୍ୟାୟାମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଧଳା କୁର୍ତ୍ତା ଓ ପାଇଜାମାରେ ଦେଖି ଆସୁଥିବା ଲୋକଙ୍କ ଆଖିକୁ ଏହି ଭିଡିଓ ଟିକେ ଖଟକା ଲାଗିଛି ନିଶ୍ଟୟ ।

ମୁଖ୍ୟମନ୍ତ୍ରୀ ଏହି ଭିଡିଓରେ ଏକ ପ୍ୟାଣ୍ଟ ଓ କଳା ଟି ସାର୍ଟ ପିନ୍ଧିଛନ୍ତି । ପ୍ରଥମେ ନବୀନ ନିବାସର ଦୁଆରବନ୍ଧରେ ଚିନିଂ କରିବା ପରେ କାନ୍ଥକୁ ମୁହଁ କରି କିଛି ସମୟ ଲେଗ ରେଜିଂ କରୁଛନ୍ତି । ତାପରେ ଦୌଡି ଦୌଡି ବାହାରକୁ ଆସୁଛନ୍ତି । ବଗିଚା ଭିତରେ ମଧ୍ୟ ସ୍ଲୋ ଷ୍ଟେପ ରନିଂ କରିବା ପରେ ହୋମ୍ ଜିମ୍‌କୁ ଫେରୁଛନ୍ତି ।

ସୂର୍ଯ୍ୟ ନମସ୍କାରର ମୁଦ୍ରାରେ ମଧ୍ୟ ନବୀନଙ୍କୁ ଦେଖିବାକୁ ମିଳୁଛି । ଏଠାରେ ଦର୍ପଣ ସମ୍ମୁଖରେ ବାର ଧରି ଗୁଡ୍ ମର୍ଣ୍ଣ୍ଂ ଏକ୍ସରସାଇଜ୍ କରିବା ସହ ହାପ୍‌ ସ୍କ୍ବାର୍ଟ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ନବୀନ ଡମ୍ବଲ୍ସ ମଧ୍ୟ କରୁଛନ୍ତି । ସାଇକ୍ଲିଂ ମେସିନରେ ସାଇକ୍ଲିଂ ମଧ୍ୟ କରୁଥିବା ଦୃଶ୍ୟ ରହିଛି ।

ନବୀନ ଯେଉଁ ପ୍ରକୋଷ୍ଠରେ ବ୍ୟାୟାମ କରୁଛନ୍ତି ସେହି ରୁମରେ ଥିବା ଟିଭିରେ ନ୍ୟୁଜ୍ ସେଭେନ୍ ସମେତ ବିଭିନ୍ନ ଓଡିଆ ଚ୍ୟାନେଲ ଚାଲୁଥିବା ମଧ୍ୟ ଦୃଶ୍ୟମାନ ହେଉଛି । ରୁମ୍ ଭିତରେ କିଛି ବହି ସେଲ୍ଫ ମଧ୍ୟ ରହିଛି ।

ବ୍ୟାୟାମ ସରିବା ପୂର୍ବରୁ ନବୀନ କ୍ୟାମେରାକୁ ଦେଖି କହୁଛନ୍ତି ଯେ, ଆଇ ଆମ ଗେଟିଂ ରେଡି ଟୁ ଫାଇଟ୍ ଫର୍‌ ପିପୁଲ ଅଫ୍ ଓଡିଶା । ଅର୍ଥାତ୍ ଓଡିଶା ଲୋକଙ୍କ ପାଇଁ ଯୁଦ୍ଧ କରିବା ଲାଗି ମୁଁ ପ୍ରସ୍ତୁତ ହେଉଛି ।

ସୂଚନାଯୋଗ୍ୟ ଯେ, ଗତ କିଛିମାସ ତଳେ ନବୀନ ପଟ୍ଟନାୟକ ଅସୁସ୍ଥ ବୋଲି ପ୍ରଚାର ହେଉଥିଲା । ଏଭଳି ପ୍ରଚାର କରୁଥିବା ଲୋକଙ୍କ ପାଇଁ ଏହି ଭିଡିଓ ଉତ୍ତର ବୋଲି କୁହାଯାଇପାରେ । ନବୀନ ପଟ୍ଟନାୟକ ଏବଂ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେବାର କିଛି କାରଣ ମଧ୍ୟରୁ ଗୋଟିଏ କାରଣ ଥିଲା ନବୀନ ଅସୁସ୍ଥ ବୋଲି ବୈଜୟନ୍ତଙ୍କ ପ୍ରଚାର ।

ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋର ଚାଲିଥିବାବେଳେ ନବୀନ ମୟୂରଭଞ୍ଜରୁ ମାଲକାନଗିରି ଓ ଜଗତସିଂହପୁରରୁ ଝାରସୁଗୁଡା ପର୍ଯ୍ୟନ୍ତ ସମଗ୍ର ଓଡିଶା ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ନିର୍ବାଚନ ପ୍ରଚାର ଏକ କଠିନ କାମ ନିଶ୍ଚୟ । ଏଥିପାଇଁ ଫିଟ୍ ରହିବା ଜରୁରୀ । ସେଥିପାଇଁ ଏଭଳି ବ୍ୟାୟାମ ନିଶ୍ଚୟ ନବୀନଙ୍କୁ ଫିଟ୍‌ ରଖିବ । ଭିଡିଓ ଦେଖିଲେ ଲାଗୁଛି ଯେ, ଦିନେ ଅଧେ ନୁହେଁ ନବୀନ ବରାବର ବ୍ୟାୟାମ କରୁଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.