ଯୁବତୀଙ୍କ ବିବାହ ବୟସକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ- ୧୫ ବର୍ଷୀୟା ଝିଅ ପିଲା ଜନ୍ମ ଦେବାକୁ ସକ୍ଷମ

Published By : Prameya-News7 Bureau | January 13, 2021 IST

ଭୋପାଳ ୧୩/୦୧: ନିଜର ବିବାଦୀୟ ବୟାନ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜ୍ଜନ ସିଂହ ବର୍ମା ପୁଣି ଥରେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ବାରା ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରିବା ପ୍ରସଙ୍ଗକୁ ନେଇ ବର୍ମା କହିଛନ୍ତି ୧୫ ବର୍ଷ ହୋଇଗଲେ ଝିଅଙ୍କର ପିଲା ଜନ୍ମ କରିବାର କ୍ଷମତା ଆସିଯାଉଛି। ତେବେ ବିବାହ ବୟସ ୨୧ ବର୍ଷ କରିବାର ଆବଶ୍ୟକତା କଣ ବୋଲି ସଜ୍ଜନ ବର୍ମା ପ୍ରଶ୍ନ କରିଛନ୍ତି।

ଝିଅଙ୍କ ବିବାହ ବୟସ ୧୮ ଥିବା ବେଳେ ଏହାକୁ ବଢ଼ାଇବାର କଣ ପ୍ରୟୋଜନ ରହିଛି ବୋଲି ପଚାରିଛନ୍ତି ବର୍ମା। ତେବେ ସଜ୍ଜନ ବର୍ମାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବୁଧବାର ଦିନ ଏକ ସାମ୍ବାଦିକ ସମ୍ମଳନୀରେ ସଜ୍ଜନ ବର୍ମା ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି, ଡାକ୍ତରଙ୍କ ଅନୁସାରେ ୧୫ ବର୍ଷ ବୟସରେ ଝିଅମାନଙ୍କର ପିଲା ଜନ୍ମ କରିବାର କ୍ଷମତା ଆସିଯାଉଛି। ତେଣୁ ସେମାନଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ।

ଏହା ପୂର୍ବରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୁବତୀଙ୍କ ବିବାହ ବୟସ ବୃଦ୍ଧି କରିବା ଉପ​‌ରେ ଚର୍ଚ୍ଚା ହେବା ଦରକାର ବୋଲି କହିଥିଲେ। ବିବାହ ବୟସକୁ ୧୮ରୁ ବୃଦ୍ଧି କରି ୨୧ ବର୍ଷ କରିବାକୁ ଶିବରାଜ ସିଂହ ଚୌହାନ ପ୍ରସ୍ତାବ ରଖିଥିଲେ। ତେବେ ଯୁବତୀଙ୍କ ବିବାହ ବୟସ ଏକ ଜାତୀୟ ପ୍ରସଙ୍ଗ ହେଉ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.