ବିଜେପି ଏବଂ ସଂଘକୁ ରାହୁଲ ଗାନ୍ଧିଙ୍କ ଜୋରଦାର କଟାକ୍ଷ, କଲେ ସାଂଘାତିକ ଆକ୍ଷେପ: କହିଲେ, ଲକ୍ଷ୍ମୀ ଏବଂ ଦୂର୍ଗାଙ୍କ ଶକ୍ତି ଉପରେ ଆକ୍ରମଣ ଅଭିଯୋଗ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯ : ଅନେକ ସମୟରେ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହେଉଥିବା ରାହୁଲ ଗାନ୍ଧି ଏବେ ପୁଣି ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି । ସେ କହିଛନ୍ତି, ‘ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ହିନ୍ଦୁ ନୁହଁନ୍ତି । ଧର୍ମ ନାଁରେ ଏମାନେ ଦଲାଲୀ କରୁଛନ୍ତି ।’


ବିଜେପି ଏବଂ RSS ବିରୁଦ୍ଧରେ ଅଭିଯୋଗ କରି ରାହୁଲ ଗାନ୍ଧି କହିଛନ୍ତି, ଦେବୀ ଦୁର୍ଗା ଏବଂ ମା ଲକ୍ଷ୍ମୀଙ୍କୁ ଅପମାନିତ କରାଯାଇଛି । ଅଖିଳ ଭାରତୀୟ ମହିଳା କଂଗ୍ରେସର ସ୍ଥାପନ ଦିବସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ରାହୁଲ ଏଭଳି ବିସ୍ଫୋରକ ବୟାନ ଦେବା ସହିତ ବିଜେପି ଏବଂ ଆର୍ଏସ୍ଏସ୍ ଧର୍ମ ନାରେ ଦଲାଲୀ କରୁଥିବା ଏବଂ ଏମାନେ ସମସ୍ତେ ହିନ୍ଦୁ ନୁହଁନ୍ତି ବୋଲି କହିଛନ୍ତି । ଏପରିକି ବିଜେପି କେବେ ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ କରିନାହିଁ ବୋଲି କହିଛନ୍ତି ରାହୁଲ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏବଂ ଆର୍ଏସ୍ଏସ୍ ମହିଳା ଶକ୍ତିକୁ ଦବାଇବାକୁ ପ୍ରୟାସ କରୁଛନ୍ତି ଏବଂ ଭୟର ମାହୋଲ ତିଆରି କରୁଛନ୍ତି ।


ନୋଟବନ୍ଦୀ ଏବଂ ଜିଏସ୍ଟିକୁ ମନେ ପକାଇବା ସହିତ ମା ଲକ୍ଷ୍ମୀ ଏବଂ ଦେବୀ ଦୁର୍ଗାଙ୍କ ଶକ୍ତି ଉପରେ ଆକ୍ରମଣ କରାଯାଇଥିବା କହି କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ବିଜେପି ଏବଂ ଆର୍ଏସ୍ଏସ୍ ନିଜକୁ ହିନ୍ଦୁ ପାର୍ଟି କହୁଥିବା ବେଳେ ମା ଲକ୍ଷ୍ମୀ ଏବଂ ଦେବୀ ଦୁର୍ଗାଙ୍କୁ ଅପମାନିତ କରୁଛନ୍ତି । ସେମାନେ ନକଲି ହିନ୍ଦୁ, ଅସଲି ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁ ଧର୍ମକୁ ବ୍ୟବହାର କରୁଛନ୍ତି । ବିଜେପି ଏବଂ ଆର୍ଏସ୍ଏସ୍ର ଲୋକମାନେ ଦେଶରେ କେବଳ ଭୟ ଖେଳାଉଛନ୍ତି । ଚାଷୀମାନେ ଭୟ କରୁଛନ୍ତି । ମହିଳାମାନେ ଭୟଭୀତ ହୋଇ ରହିଛନ୍ତି । ମହିଳା ଶକ୍ତିକୁ ଦବାଇବାକୁ ପ୍ରୟାସ ଜାରି ରହିଛି । କିନ୍ତୁ କଂଗ୍ରେସ ମହିଳା ଶକ୍ତିକୁ ସମ୍ମାନ ଦିଏ ଏବଂ ସମାନ ମଞ୍ଚ ଦିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.