‘କଳା ପଗଡ଼ି ସହିତ କଳା ଆଇନକୁ ବିରୋଧ କରୁଛି’- ନବଜୋତ ସିଦ୍ଧୁ

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪/୧୦: କେନ୍ଦ୍ରର କୃଷି ବିଲ ବିରୋଧରେ ରାହୁଲ ଗାନ୍ଧିଙ୍କର ଆଜି ଠାରୁ ତିନି ଦିନିଆ ରାଲି ଆରମ୍ଭ ହୋଇଛି। ତେବେ ଏ ରାଲି ଆରମ୍ଭ ପୂର୍ବରୁ ମୋଗା ରାଲିରେ ନବଜୋତ ସିଂହ ସିଦ୍ଧୁ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ପୁଞ୍ଜିପତିଙ୍କ ହାତରେ ସବୁ କ୍ଷମତା ଦେବାକୁ ଚାହୁଁଛନ୍ତି। ଯଦି ଏ ଆଇନ ପଞ୍ଜାବରେ ଲାଗୁ ହୋଇଯାଏ ତେବେ ଏହା ଦ୍ବାରା ରାଜ୍ୟର ଚାଷୀ ହଇରାଣ ହୋଇଯିବେ। ଏଣୁ କଳା ପଗଡ଼ି ସହ ଏ ଆଇନକୁ ବିରୋଧ କରିବାକୁ ଆସିଥିବା ସିଦ୍ଧୁ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଅଧିକାର ଲୁଟିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ପଞ୍ଜାବ ଚାଷୀ ଓ ଜନତା ଗୋଟିଏ। ପଞ୍ଜାବ ସରକାରଙ୍କୁ ମଣ୍ଡିରୁ ୫ ହଜାର କୋଟି ଟଙ୍କାର ଲାଭ ହୋଇଥାଏ। ଯଦି ଏ ମଣ୍ଡି ବନ୍ଦ ହୋଇଯିବ ତେବେ ୩୦ ଲକ୍ଷ ଟଙ୍କା ବରବାଦ ହୋଇଯିବ ଓ ପାଞ୍ଚ ଲକ୍ଷ ଶ୍ରମିକ ଘରେ ବସିବେ।

ସିଦ୍ଧୁ କହିଛନ୍ତି ଯେଉଁ ରାଜ୍ୟରେ ମଣ୍ଡି ନାହିଁ, ସେଠାରେ ଚାଷୀ ଶ୍ରମିକ ହୋଇ କାମ କରୁଛନ୍ତି।  ଏଣୁ ଯଦି ମଣ୍ଡି ଛଡ଼ାଇ ନିଆଯିବ ତେବେ ସେମାନେ ଯିବେ କୁଆଡେ। ମୋଦି ସରକାର ଆମେରିକା, ୟୁରୋପର ଫେଲ ବ୍ୟବସ୍ଥାକୁ ଆମ ଉପରେ ଲଦିବାକୁ ଚାହୁଁଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.