କଂଗ୍ରେସ ଛାଡିଲେ ବରିଷ୍ଠ ନେତା ମାଧବାନନ୍ଦ ମଲ୍ଲିକ, ବିଜେପିରେ ଯୋଗ ଦେଇପାରନ୍ତି

Published By : Prameya-News7 Bureau | October 25, 2018 IST

ବାସୁଦେବପୁର ୨୫|୧୦: ଭଦ୍ରକ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ ଆଜି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବାସୁଦେବପୁର ନିର୍ବାଚନମଣ୍ଡଳିରେ ସେ ବିଜୟଶ୍ରୀ ରାଉତରାୟଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ଥିଲେ । ୨୦୦୪ରୁ ସେ ବାସୁଦେବପୁର ନିର୍ବାଚନମଣ୍ଡଳିରୁ କଂଗ୍ରେସର ପ୍ରାର୍ଥୀ ହୋଇ ଆସୁଥିଲେ । ଆଜି କଂଗ୍ରେସର ସଭ୍ୟ ପଦରୁ ଇସ୍ତଫା ଦେବା ପରେ ମାଧବାନନ୍ଦ କହିଛନ୍ତି ଯେ, ରାଜ୍ୟରେ ବିଜେଡିକୁ କାଉଣ୍ଟର କରିବା ସ୍ଥିତିରେ କଂଗ୍ରେସ ନାହିଁ । ବିଜେଡିକୁ କାଉଣ୍ଟର କରିବାକୁ ହେଲେ ବିକଳ୍ପ ରାଜନୈତିକ ଦଳ ସହ ସଂପୃକ୍ତ ହେବାକୁ ପଡିବ । ମାଧବାନନ୍ଦଙ୍କ କଥାବାର୍ତ୍ତାର ୁସ୍ପଷ୍ଟ ହେଉଛି ଯେ, ସେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି । ତଥ୍ୟାଭିଜ୍ଞ ମହଲରୁ ମିଳିଥିବା ଖବର ଅନୁସାରେ ମାଧାବାନନ୍ଦ ଅତିଶୀଘ୍ର ବିଜେପିରେ ନିଜ ସହଯୋଗୀଙ୍କ ସହ ଯୋଗ ଦେଇପାରେ । ମାଧବାନନ୍ଦ ବିଜେପିରେ ଯୋଗ ଦେଲେ ଏବେ ବିଜେଡିର ଗଡ କୁହାଯାଉଥିବା ବାସୁଦେବପୁର ନିର୍ବାଚନମଣ୍ଡଳିରେ ଶାସକଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ । ବ୍ୟକ୍ତିଗତଭାବେ ବିଜୟଶ୍ରୀଙ୍କ ପାଇଁ ମଧ୍ୟ ସମସ୍ୟା ଲୃଷ୍ଟି ହୋଇପାରେ । ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ଭୋଟ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ ବୋଲି ବିଜୟଶ୍ରୀ ଅତୀତରେ ଗଣମାଧ୍ୟମକୁ କହିଛନ୍ତି । ତେଣୁ ୨୦୧୯ ନିର୍ବାଚନରେ ସମ୍ଭବତଃ ବିଜୟଶ୍ରୀ ତାଙ୍କ ପରିବାରର ଅନ୍ୟ କାହାକୁ ଏହି ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିବା ପାଇଁ ସୁପାରିସ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.