ଭିସା ଦୁର୍ନୀତି ମାମଲାରେ ସିବିଆଇର ଆକ୍ସନ, କାର୍ତ୍ତି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀ ଗିରଫ

Published By : Prameya-News7 Bureau | May 18, 2022 IST

ନୂଆଦିଲ୍ଲୀ ୧୮।୫: ଭିସା ଦୁର୍ନୀତି ମାମଲାରେ ସିବିଆଇ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା ଲୋକସଭା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଉପରେ କଟକଣା ଲଗାଇବା ଆରମ୍ଭ କରିଛି । ପଚରାଉଚରା ପରେ କାର୍ତ୍ତି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀ ଏସ୍ ଭାସ୍କର ରମଣଙ୍କୁ ସିବିଆଇ ଗିରଫ କରିଛି । ଏହା ପୂର୍ବରୁ ସିବିଆଇ ମଙ୍ଗଳବାର ଦିନ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଚେନ୍ନାଇ ଏବଂ ଦିଲ୍ଲୀରେ ସ୍ଥିତ ଘର ସମେତ ଦେଶର ବିଭିନ୍ନ ସହରରେ ୧୦ଟି ସ୍ଥାନରେ ଚଢାଉ କରିଥିଲା । ଅଧିକାରୀ କହିଥିଲେ ଯେ, ସିବିଆଇର ଏକ ଟିମ୍ କାର୍ତ୍ତି ଚିଦାମ୍ବରମ ଏବଂ ତାଙ୍କ ବାପା ପି.ଚିଦାମ୍ବରମଙ୍କ ଦିଲ୍ଲୀ ଲୋଧି ଇଷ୍ଟେଟ ସ୍ଥିତ ସରକାରୀ ବାସଭବନରେ ମଧ୍ୟ ଛାନଭିନ୍ କରିଥିଲା ।

ସିବିଆଇ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ୨୦୧୦ରୁ ୨୦୧୪ମଧ୍ୟରେ ବିଦେଶୀ କାରବାର ମାମଲାରେ ଏକ ଏକ ନୂଆ କେସ୍ ରୁଜୁ କରିଛି । ଏହି ମାମଲାରେ ଏହି ଚଢାଉ କରାଯାଇଥିଲା । କୁହାଯାଉଛି ଯେ, ସିବିଆଇ ଭିସା ଦୁର୍ନୀତି ମାମଲାରେ ଲାଞ୍ଚ ନେବା ଅଭିଯୋଗରେ କାର୍ତ୍ତି ଚିଦାମ୍ବରମଙ୍କ ସହ ଅନ୍ୟ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

୨୦୧୦ରୁ ୨୦୧୪ ମଧ୍ୟରେ ପ୍ରାୟ ୨୫୦ ଚୀନ୍ ନାଗରିକଙ୍କୁ ବେଆଇନ ଭାବେ ଭିସା ଜାରି କରାଇବା ଏବଂ ପ୍ରତିବଦଳରେ ଲାଞ୍ଚ ନେବା ନେଇ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଅଭିଯୋଗ ରହିଛି । ସମସ୍ତ ଚୀନ୍ ନାଗରିକ ପଞ୍ଜାବର ମାନସାଠାରେ ନିର୍ମିତ ତଲୱାଡି ସାବୋ ପାୱାର ପ୍ରୋଜେକ୍ଟ ପାଇଁ ଆସିଥିଲେ । କାର୍ତ୍ତି ଚିଦାମ୍ବରମ ଏ ସମସ୍ତ ଚୀନ୍ ନାଗରିକଙ୍କୁ ଭିସା ଦେବା ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ଏବଂ ଏହି ଟଙ୍କାକୁ ବିଦେଶରେ ଜମା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.