କିସ୍ସା ବରାବର: କଂଗ୍ରେସ ନେତା ଯୋଗେଶ ମିଶିଲେ ବିଜେଡିରେ, ବିଜେଡି ନେତା ସୁବାସ ମିଶିଲେ କଂଗ୍ରେସରେ
6/02/2019 at 7:23 PM

ଭୁବନେଶ୍ବର୬|୨: ବିଜେଡି ଓ କଂଗ୍ରେସ ରାଜନୀତିରେ ଆଜି ଦେଖିବାକୁ ମିଳିଛି କାଉଣ୍ଟର ମିଶ୍ରଣ ପର୍ବ । କଂଗ୍ରେସ ଛାଡି ଯୋଗେଶ ସିଂ ବିଜେଡିରେ ମିଶିଥିବା ବେଳେ ବିଜେଡି ଛାଡି କଂଗ୍ରେସରେ ମିଶିଛନ୍ତି ସୁବାସ ନାୟକ । ନବୀନଙ୍କ ଉପସ୍ଥିତିରେ ଯୋଗେଶ ଶଙ୍ଖ ଫୁଙ୍କିଛନ୍ତି, ରାହୁଲଙ୍କ ଉପସ୍ଥିତିରେ ହାତଧରିଛନ୍ତି ସୁବାସ ନାୟକ । ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ କଂଗ୍ରେସ ବିଧାୟକଙ୍କୁ ଦଳରେ ମିଶାଇବାକୁ ବିଜେଡି ଯେଉଁ ରଣନୀତି ବନାଇଥିଲା ତାକୁ କାଉଣ୍ଟର କରି ଆଜି କଂଗ୍ରେସ ସମାନ ଖେଳ ଖେଳିଛି ।…

ବିଧିବଦ୍ଧ ଭାବେ ଆଜି ବିଜେଡିରେ ମିଶିଲେ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଯୋଗେଶ ସିଂ । ବିଜେଡି ପାର୍ଟି ଅଫିସରେ ନବୀନଙ୍କ ଉପସ୍ଥିତିରେ ହଜାର ହଜାର କର୍ମିଙ୍କ ସହ ଯୋଗେଶ ହାତଛାଡି ଶଙ୍ଖ ଫୁଙ୍କିଛନ୍ତି । ଯୋଗେଶ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ବହୁଦିନରୁ ଆଲୋଚନା ହେଉଥିଲା । କଂଗ୍ରେସରେ ଥିବାବେଳେ ଦଳୀୟ ନେତାଙ୍କ ପ୍ରତି ତାଙ୍କ କଟୁ ଟିପ୍ପଣି ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବିଦା କରିଥିଲା । ନବ ଦାସଙ୍କ ପରେ ଯୋଗୋଶ ସିଂଙ୍କୁ ବିଜେଡି ନିଜପଟକୁ ନେଇ ପଶ୍ଚିମ ଓଡିଶାରେ ନିଜର ସ୍ଥିତି ସୁଦୃଢ ପାଇଁ ଗୋଟି ଖେଳିଛି ।ସେପଟେ ନବୀନ କହିଛନ୍ତି ଯୋଗେଶ ସିଂଙ୍କ ଯୋଗଦାନ ସୁନ୍ଦରଗଡ ରାଜନୀତିରେ ବିଜେଡିକୁ ମଜବୁତ କରିବ ।ଆଉ ଯୋଗେଶ କହିଛି ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ।

ଏପଟେ ଯୋଗେଶ ସିଂ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ବେଳେ କଳାହାଣ୍ଡିରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ସୁବାସ ନାୟକ । ଆଗରୁ ସେ କଂଗ୍ରେସରେ ଥିଲେ । ୧୯୯୧ ମସିହାରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ନାୟକ ସଂସଦ ଭବନକୁ ପ୍ରବେଶ ସମୟରେ ମୁଣ୍ଡିଆ ମାରି ସେତେବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ୨୦୦୯ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେଡିରୁ ଟିକେଟ ପାଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ଭକ୍ତଚରଣ ଦାସଙ୍କଠାରୁ ପରାଜିତ ହୋଇଥିଲେ। ତେଣୁ ସେ ପୁଣି କଂଗ୍ରେସକୁ ଫେରିବା ପରେ କଳାହାଣ୍ଡି ରାଜନୀତିରେ କଂଗ୍ରେସ କମବ୍ୟାକ୍ କରିବାକୁ ଚେଷ୍ଟା କରୁଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଦଳ ।

ନିର୍ବାଚନ ଋତୁରେ ଦଳ ଡିଆଁ ରାଜନୀତିର ଏକ ପୁରୁଣା ରୋଗ । ନିର୍ବାଚନ ଫଳ କହିବ ଏହି ନେତାଙ୍କ ଡଳଡିଆଁ ସେମାନଙ୍କୁ ଅବା ଦଳକୁ କେତେ ଫାଇଦା ଦେଇଛି ।…